ପଢୁଆଁ ହେବେ ମହାପ୍ରଭୁ, ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପୂଜାବିଧି

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପାଳନ ଅବସରରେ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେବ । ଭୋଗ ମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ ନୀତି ସମ୍ପନ୍ନ କରାଯିବ । ଏହାପରେ ଠାକୁରଙ୍କୁ ନୂଆ ଲାଗି କରାଯାଇ ଚନ୍ଦନ ଲାଗି ହେବା ପରେ ବେଶ ସମ୍ପନ୍ନ ହେବ । ବେଶରେ ୬ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଲାଗି କରାଯିବ । ଶ୍ରୀବିଗ୍ରହମାନଙ୍କ ଠାରେ କର୍ପୂର ଲାଗିକରି ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଲା ପରେ ସୁଦୁସୁଆର ପୂଜା କରିବା ଉତ୍ତାରେ ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣପୂଜା କରିବେ ।

ମଧ୍ୟାହ୍ନ ଧୂପ ଉଠିଲେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ, ଖଦି ଓ ଛେଦା ପ୍ରସାଦ ଲାଗିସରି ବନ୍ଦାପନା କରାଯାଇଥାଏ । ଏହିଦିନ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏଣ୍ଡୁରୀ ପିଠା ସହିତ ନାଡୀ, ଧଉଳା, ଖଇରଚୂଳ, ସାନ ଆରିସା, ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡାଳିମ୍ବ, ଓରିଆ, ମୁଗ, ଖିରୀ ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଇଥାଏ । ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ ‘ମାନବୀୟ ଲୀଳା’ର ଅନ୍ୟ ଏକ ଉଦାହରଣ । ପରିବାରର ଜ୍ୟୋଷ୍ଠସନ୍ତାନ ପରି ସମଗ୍ର ବିଶ୍ୱର ଜ୍ୟୋଷ୍ଠ ହିସାବରେ ବଡ଼ଠାକୁରଙ୍କୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଦିନ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ସୁଗମ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.