ରାକେଶ-ପ୍ରିୟଙ୍କା ହାପି ଫ୍ୟାମିଲୀରେ ଏମିତି ନିଆଁ ଲାଗିଲା କାହିଁକି? କଣ କହୁଛନ୍ତି ପରିବାର ଲୋକେ ଜାଣନ୍ତୁ

ଯାଜପୁର(କେ.ନ୍ୟୁଜ): ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ମହିଳାଙ୍କୁ ହତ୍ୟାକାଣ୍ଡର ରହସ୍ୟ ଖୋଜୁଛି ପୋଲିସ। ରକ୍ତଭିଜା ସୁଇସାଇଡ ନୋଟକୁ ଯାଞ୍ଚ ପାଇଁ ଫରେନ୍‌ସିକ୍‌ ଲ୍ୟାବ୍‌ ପଠାଯାଇଛି। ଗତକାଲି ସଂଧ୍ୟାରେ କମିସନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ଯାଜପୁର ପୋଲିସ ସହାୟତାରେ ତଦନ୍ତ କରି ଫେରିଯାଇଛି। ପ୍ରଥମେ ଏହି ଟିମ ଧର୍ମଶାଳା ଥାନା ବଡ଼ମଙ୍ଗଳପୁର ଗାଁରେ ଭଡ଼ା ଘରେ ରହୁଥିବା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପରିବାରଙ୍କ ସହ ଆଲୋଚନା କରିଥିଲା । ଏହି ସମୟରେ ଅଭିଯୁକ୍ତର ମାଆ, ଦାଦା ଓ ସାନ ଭାଇ ଉପସ୍ଥିତ ଥିଲେ। ପୋଲିସ ସାନ ଭାଇ ସୁଦର୍ଶନଙ୍କ ମୋବାଇଲ ଫୋନ ସହ ଜଗନ୍ନାଥଙ୍କ ହ୍ୟାଣ୍ଡ ରାଇଟିଂକୁ ନେଇ ଯାଇଥିଲା । ପରେ ଏହି ଟିମ ମୃତ ମହିଳା ପ୍ରିୟଙ୍କାଙ୍କ ବାପ ଘର ବନ୍ଧଢିହ ଗାଁକୁ ଯାଇ ତଦନ୍ତ କରିଥିଲା । ସେଠାରୁ ପ୍ରିୟଙ୍କାଙ୍କ ଶାଶୁ ଘର କୁଆଖିଆ ଥାନା ମହମ୍ମଦପୁରରେ ପହଞ୍ଚି ଅଧିକ ଖୋଳଡାଡ଼ କରି ଫେରିଯାଇଛି।

ତେବେ ଅଭିଯୁକ୍ତ ଜଗନ୍ନାଥଙ୍କ ମା ସାବିତ୍ରୀ ପ୍ରଧାନ ଦେଇଥିବା ମନ୍ତବ୍ୟ ଉପରେ ମୃତ ମହିଳା ପ୍ରିୟଙ୍କାଙ୍କ ବାପା ମାଆ ମୁହଁ ଖୋଲିଛନ୍ତି। ଜଗନ୍ନାଥ ସହ ତାଙ୍କ ଝିଅର କୌଣସି ସଂପର୍କ ନଥିବା କହିଛନ୍ତି। ଦୋଷୀକୁ କଠୋର ଦଣ୍ଡ ଦେବା ଲାଗି ପ୍ରିୟଙ୍କାଙ୍କ ପରିବାର ଦାବି କରିଛନ୍ତି। ତେବେ ଏ ସଂପର୍କରେ ମୃତ ମହିଳାଙ୍କ ସ୍ୱାମୀ ରାକେଶଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

କୁହାଯାଉଛି ପ୍ରିୟଙ୍କା କଲେଜରେ ପଢୁଥିବା ବେଳେ ଜଗନ୍ନାଥଙ୍କ ସହ ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ପ୍ରିୟଙ୍କାଙ୍କ ବାହାଘର ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଛିନ୍ନ ହୋଇଥିଲା । କିନ୍ତୁ ଗତବର୍ଷ ଲକଡାଉନ ସମୟରେ ସୋସିଆଲ ମିଡିଆରେ ପୁଣି ଉଭୟଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ତେବେ ଏହି ସଂପର୍କରେ ତିକ୍ତତା ଆସିବାରୁ ଜଗନ୍ନାଥ ପ୍ରତିଶୋଧ ପରାୟଣ ହୋଇ ପ୍ରିୟଙ୍କାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଉଭୟଙ୍କ ସଂପର୍କ କେତେ ନିବିଡ ଥିଲା? ସଂପର୍କରେ କାହିଁକି ତିକ୍ତତା ଆସିଲା? ଜଗନ୍ନାଥ କାହିଁକି ମାରିବି ଓ ମରିବି ଭଳି ନିଷ୍ପତ୍ତି ନେଲା ପୋଲିସର ଏସବୁ ଦିଗରେ ତଦନ୍ତ ଚଳାଇଛି । ଅଭିଯୁକ୍ତ ଜଗନ୍ନାଥକୁ ଜେରା ପରେ ବହୁ ରହସ୍ୟର ଗୁମର ଖୋଲିବ। ଏବେ ପ୍ରିୟଙ୍କାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.