ବାଇଗଣ ଚାଷୀଙ୍କ ଗାଁ ଗଞ୍ଜାମର ‘ଟିକରପଡ଼ା’

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରି ପଞ୍ଚାୟତ ଟିକରପଡା ଗାଁ । ଯୁଆଡେ ଚାହିଁବେ ସିଆଡ଼େ ସବୁଜ ରଙ୍ଗର ଖେତ ଭରି ରହିଛି । ସବୁଠାରେ ଖାଲି ବାଇଗଣ ଗଛ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରି ପଞ୍ଚାୟତ ଗାଁର ମୋଟ ୧୨୦ଟି ପରିବାର ମଧ୍ୟରୁ ୧୦୭ଟି ପରିବାର ବାଇଗଣ ଚାଷ କରି ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । କେବଳ ବାଇଗଣ ଚାଷ କରି ସେମାନେ ବର୍ଷକୁ ପ୍ରାୟ ୩ କୋଟି ଟଙ୍କା ରୋଜଗାର କରି ପାରୁଛନ୍ତି ।

ଦିଗପହଣ୍ଡି ବ୍ଲକ ଖମାରି ପଞ୍ଚାୟତ ଟିକରପଡ଼ା ଗାଁ । ଏଠାରେ ପାଖାପାଖି ୮୦ ଏକର ଜମିରେ ବାଇଗଣ ଚାଷ କରାଯାଉଛି । ଦିନ ତମାମ ଚାଷ କାମରେ ଲାଗିଥାନ୍ତି ଚାଷୀ । ପ୍ରଥମେ ଜମିରେ ଧାନ, ମାଣ୍ଡିଆ, ହରଡ କରି ଖୁବ କମ୍‌ ପଇସା ରୋଜଗାର କରୁଥିଲେ । ହେଲେ ୨୦୧୬ ମସିହାରେ ଘୋଡାହାଡ ନଦୀ ନିକଟରେ ଉଠା ଜଳ ସେଚନ ବିଭାଗ ପଏଣ୍ଟ ତିଆରି କରିବା ପରେ ଚାଷର ଧାରା ବଦଳିଗଲା । ଧାନ, ମାଣ୍ଡିଆ ବଦଳରେ ବାଇଗଣ ଚାଷ ଆରମ୍ଭ କରିଦେଲେ ଚାଷୀ । ଆଉ ବଦଳିଲା ଏମାନଙ୍କ ଆର୍ଥିକ ସ୍ଥିତି ।

ଏହି ବାଇଗଣର ବେଶ୍‌ ଚାହିଦା ରହିଛି । ଅମଳ ପରେ ସେସବୁକୁ ଚାଷୀମାନେ ଦିଗପହଣ୍ଡି ଓ ବ୍ରହ୍ମପୁର ବଜାରକୁ ବିକ୍ରି ପାଇଁ ପଠାଇ ଦେଇଥାନ୍ତି । ତେବେ କୃଷିଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସହାୟତା କିମ୍ବା ଆଧୁନିକ ଜ୍ଞାନ କୌଶଳ ପ୍ରଦାନ କରାଗଲେ ସେମାନେ ଅଧିକ ଅମଳ କରିବାକୁ ସକ୍ଷମ ହୁଅନ୍ତେ ବୋଲି ଚାଷୀମାନେ କହିଛନ୍ତି ।
ବ୍ରହ୍ମପୁରରୁ ରବୀନ୍ଦ୍ର ନାଥ ଡାକୁଆଙ୍କ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.