ଯାଜପୁର: ବରଡା ଛକ ନିକଟରେ ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
ଯାଜପୁର(କେନ୍ୟୁଜ୍): ପୁଣି ୫୩ ନଂ ଜାତୀୟ ରାଜପଥରେ ଆଉ ଏକ ମୁଣ୍ଡ ଗଡ଼ିଲା। ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ଜୀବନ ଗଲା। ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ମହିଶରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ। ଜାତୀୟ ରାଜପଥର ବରଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ପୂର୍ଣଚନ୍ଦ୍ର ସାଇକେଲ ଯୋଗେ ରାସ୍ତା ପାରି ହେଉଥିବା ସମୟରେ ଏକ ହାଇୱବା ଟ୍ରକ ତାଙ୍କୁ ଧକା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଜେନାପୁର ପୁଲିସ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏପଟେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଜୀବନ ହାନି ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।