Below header

“ରାଜ୍ୟରେ ନିପା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ,ଏହା ଏକ ଗୁଜବ” : ପ୍ରତାପ ଜେନା

ଭୁବନେଶ୍ବର : ଗୋଆ ଫେରନ୍ତା ବାଲେଶ୍ୱରର କିଛି ଯୁବକ ନିପା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଦୃଢ଼ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହା ଗୁଜବ ମାତ୍ର । ଏଥିରେ କିଛି ସତ୍ୟତା ନାହିଁ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ସଂପୃକ୍ତ ୮ ଜଣ ଗୋଆ ଫେରନ୍ତା ଯୁବକ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କୁ ଜ୍ୱର ସହ ମୁଣ୍ଡ ବ୍ୟଥା ହେଉଛି। ସେମାନଙ୍କର ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଛି । ସେମାନଙ୍କ ଠାରେ ନିପା ଭୂତାଣୁର କୌଣସି ଲକ୍ଷଣ ନାହିଁ ।

ସେହିପରି ଗୋଆରେ କାମ କରୁଥିବା ବାଲେଶ୍ୱରର ଯେଉଁ ଯୁବକମାନେ ଜ୍ୱରରେ ପୀଡ଼ିତ ହୋଇ ଫେରୁଛନ୍ତି ସେମାନଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । କିଛି ଦିନ ତଳେ ଗୋଆରେ କାମ କରୁଥିବା ଭୋଗରାଇ ଅଞ୍ଚଳର ଦୁଇ ଜଣଙ୍କର ଜ୍ୱର ହେବା ସହ ମୁଣ୍ଡ ବୁଲାଉଥିଲା । ଏହାପରେ ସେମାନଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ସମାନ ଲକ୍ଷଣ ୮ ଜଣଙ୍କ ପାଖରେ ଦେଖାଯିବାରୁ ସେମାନେ ଘରକୁ ଫେରିଛନ୍ତି । କୌଣସି ଭୂତାଣୁ ଜନିତ ରୋଗରେ ଶିକାର ହୋଇ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ଓ ଅନ୍ୟମାନେ ଅସୁସ୍ଥ ହେବା ଭୋଗରାଇ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.