କିସ୍‌ରେ ପାଠ ପଢ଼ିଲେ ଜଗା-କାଳିଆଙ୍କ ଦୁଇଭାଇ, ବାପା ଭୂୟାଁ କହଁରଙ୍କ ଅନୁରୋଧ ରଖିଲେ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍): କିସ୍‌ରେ ପାଠ ପଢ଼ିଲେ ଜଗା-କାଳିଆଙ୍କ ଦୁଇଭାଇ । ଆଦିତ୍ୟ କହଁର ଓ ଦୈତ୍ୟ କହଁର କିସ୍‌ରେ ପାଠପଢ଼ା ଆରମ୍ଭ କରିଛନ୍ତି । ଆଦିତ୍ୟ ୭ମ ଶ୍ରେଣୀରେ ଓ ଦୈତ୍ୟ ତୃତୀୟ ଶ୍ରେଣୀରେ ପଢୁଛନ୍ତି । ଦୁହିଁଙ୍କୁ ମାଗଣାରେ ରହିବା ଓ ପଢ଼ିବା ସହ ସମସ୍ତ ସୁବିଧା କିସ କର୍ତ୍ତୃପକ୍ଷ ଯୋଗାଇ ଦେଇଛନ୍ତି । ଜଗା-କାଳିଆ ଦୀର୍ଘଦିନ ହେଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ଗାଁରେ ଥିବା ତାଙ୍କର ଦୁଇ ଭାଇ ଆଦିତ୍ୟ ଓ ଦୈତ୍ୟଙ୍କ ପାଠପଢ଼ାରେ ଅସୁବିଧା ହେଉଥିଲା । ଏନେଇ ସେମାନଙ୍କ ବାପା ଭୂୟାଁ କହଁର କିସ, କିଟ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭେଟି ଦୁଇ ପୁଅ ଆଦିତ୍ୟ ଓ ଦୈତ୍ୟଙ୍କ ପାଠପଢ଼ା ପାଇଁ କିସ୍‌ରେ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ । ଡକ୍ଟର ସାମନ୍ତ ତାଙ୍କ ଅନୁରୋଧକୁ ରଖିଛନ୍ତି । ଦୁଇ ଭାଇଙ୍କୁ କିସରେ ପାଠପଢ଼ିବା ପାଇଁ ସୁଯୋଗ ଦିଆଯାଇଛି ।

କନ୍ଧମାଳ ଜିଲ୍ଲା ମିଲୁପଡାରେ ଭୂୟାଁ କହଁରଙ୍କ ଘର । ତାଙ୍କର ଦୁଇ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦିଲ୍ଲୀ ଏମସରେ ସଫଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ କିଛି ମାସ ତଳେ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତାର କରାଯାଇଛି । ଗତ ନଭେମ୍ବରରେ ଏସସିବିରେ ଜଗା-କାଳିଆଙ୍କୁ ଭେଟି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଜଗାକାଳିଆଙ୍କୁ ସବୁପ୍ରକାର ସୁବିଧା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଡ. ସାମନ୍ତ । ଏବେ କିସ୍‌ରେ ଆଦିତ୍ୟ ଓ ଦୈତ୍ୟ ପାଠ ପଢ଼ିବାକୁ ନେଇ ଭୂୟାଁ କହଁରଙ୍କ ପରିବାର ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସେମାନେ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.