Below header

ବିଧାନସଭା ନିର୍ବାଚନ : ୪୫ ଜଣ ବିଧାୟକ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି, ଏଥିରେ ବିଜେଡିର ଅଛନ୍ତି ୪୪ ଜଣ

ଭୁବନେଶ୍ୱର : ରାଜ୍ୟରେ ବିଜେଡି ସଫଳତାର ରହସ୍ୟ କ’ଣ? କାହିଁକି ବାରମ୍ବାର ଜିତୁଛି ଦଳ? ଏଯାଏ ଶଙ୍ଖ ଦୁର୍ଗ ଅଭେଦ୍ୟ କାହିଁକି ? ବିଭିନ୍ନ ସମୟରେ ଏମିତି ଚର୍ଚ୍ଚା ଲାଗି ରହୁଥିବା ବେଳେ ଓଡ଼ିଶା ବିଧାନସଭା ନିର୍ବାଚନ-୨୦୧୯ ଉପରେ ଆସିଛି ଆକ୍ସନ ଫର ଡେମୋକ୍ରାଟିକ ରିଫର୍ମସ-ଏଡିଆର ରିପୋର୍ଟ । ୧୯’ ବିଧାନସଭା ନିର୍ବାଚନରେ ବିଜେତାମାନେ ମୋଟ୍‌ ମତଦାନର ହାରାହାରି ୪୬ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି । ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି ୪୫ ଜଣ । ସେଥିମଧ୍ୟରେ ଅଛନ୍ତି ବିଜେଡିର ୪୪ଜଣ ଓ ବାକି ଜଣେ କଂଗ୍ରେସ ବିଧାୟକ । ତେବେ ବିଜେପିରେ ଜଣେ ବି ବିଧାୟକ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇନଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି । ନିର୍ବାଚନମଣ୍ଡଳୀରେ ମୋଟ ମତଦାନର ୫୦ ପ୍ରତିଶତରୁ କମ ଭୋଟ ପାଇ ବିଜୟୀ ହୋଇଛନ୍ତି ୧୦୧ ଜଣ ବିଧାୟକ ।

ADR-2
ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୬୮ ଜଣ ୫୦ ପ୍ରତିଶତରୁ କମ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସର ମୋଟ ୯ ବଧାୟକଙ୍କ ମଧ୍ୟରୁ ୮ଜଣ ୫୦ ପ୍ରତିଶତରୁ କମ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ମୋଟ ୨୩ ବିଧାୟକ ୫୦ ପ୍ରତିଶତରୁ କମ ଭୋଟ ପାଇଥିବା ଏଡିଆର ରିପୋର୍ଟରୁ ତଥ୍ୟ ମିଳିଛି । ୯୫ ଜଣ କୋଟିପତି ବିଧାୟକ ବିଜୟୀ ହୋଇଛନ୍ତି । ଅଧିକ ଭୋଟ ପ୍ରତିଶତରେ ଜିତିଥିବା ବିଧାୟକଙ୍କ ତାଲିକାର ଶୀର୍ଷ ୩ଟି ସ୍ଥାନରେ ଅଛନ୍ତି ବିଜେଡି ପ୍ରାର୍ଥୀ ।

ADR-3
ଗତ ନିର୍ବାଚନରେ ସର୍ବାଧିକ ଭୋଟ ବ୍ୟବଧାନରେ ଖଣ୍ଡପଡ଼ାରୁ ଜିତିଛନ୍ତି ବିଜେଡିର ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେ ମୋଟ ୧ ଲକ୍ଷ ୩୪ ହଜାର ୫୬୫ ଖଣ୍ଡ ଭୋଟରୁ ୧ ଲକ୍ଷ ୩୮ଟି ଭୋଟ ପାଇଥିଲେ । ଯାହାକି ୭୪ ଦଶମିକ ୩୪ ପ୍ରତିଶତ ଭୋଟ । ସେହିପରି ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୪ହଜାର ୬୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସେହିପରି କବିସୂର୍ଯ୍ୟନଗର ଆସନରୁ ଲତିକା ପ୍ରଧାନ ୯୨ହଜାର ୩୪୭ ଭୋଟ ବ୍ୟବଧାନରେ ଅର୍ଥାତ ୬୨ଦଶମିକ ୮୭ ପ୍ରତିଶତ ଭୋଟ ପାଇଥିଲେ । ୧୪୬ ବିଧାୟକଙ୍କ ମଧ୍ୟରୁ ୧୩ଜଣ ଅଛନ୍ତି ମହିଳା । ତେବେ ହଜାରେ କମ୍‌ ଭୋଟ ବ୍ୟବଧାନରେ ୪ ଜଣ ବିଧାୟକ ବିଜୟ ଲାଭ କରିଥିଲେ ।

ADR-4

ସବୁଠୁ କମ୍‌ ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ କଣ୍ଟାବଞ୍ଜିରୁ ସନ୍ତୋଷ ସିଂ ସାଲୁଜା ଜିତିଥିବା ବେଳେ ରାଜଗାଙ୍ଗପୁରରୁ ସିଏ.ଏସ୍‌ ରାଜନ୍ନ ଏକ୍କା ୯୪୬ ଖଣ୍ଡ ଭୋଟ ଅଧିକ ପାଇ ବିଧାନସଭାକୁ ଆସିଛନ୍ତି । ଲକ୍ଷ୍ମୀପୁର ଆସନରୁ ପ୍ରଭୁ ଜାନି ୨୨୯ ଖଣ୍ଡ ଭୋଟ ବ୍ୟବଧାନରେ ଓ ପର୍ଜଙ୍ଗରୁ ନୃସିଂହ ଚରଣ ସାହୁ ୭୪୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଏଡିଆର ରିପୋର୍ଟରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.