ହାତ ବଢାଇଲେ ସରକାର, ୧୬ ଦିନ ପରେ ସୁଦୂର ଦୁବାଇରୁ ଓଡ଼ିଶାକୁ ଫେରିଲା ଯୁବକଙ୍କ ମୃତଦେହ

ସାଲେପୁର(କେନ୍ୟୁଜ): ୧୬ ଦିନ ପରେ ଓଡ଼ିଶାକୁ ମୃତଦେହ ଆସିଲା ସୁଦୂର ଦୁବାଇରୁ। ସୁଦୂର ଦୁବାଇ ସହରରେ ପରିବାରକୁ ପୋଷିବାକୁ ଯାଇଥିବା ପୁଅର ମୃତଦେହ ଓଡ଼ିଶା କିପରି ଆସିବ ଚିନ୍ତାରେ ପଡ଼ିଯାଇଥିଲେ ବୁଢ଼ା ବାପ ମା’ଙ୍କ ସହ ପରିବାର ଓ ଆତ୍ମୀୟସ୍ବଜନ। ଯାହା ହେଉ ସରକାର ଙ୍କ ଚେଷ୍ଟାରେ ମୃତ ପୁଅର ଦେହ ୧୬ ଦିନ ପରେ ଘରକୁ ଆସିଲା। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗାଁରେ।

ଗାଁର ମାଧବ ବେହେରାଙ୍କ ପୁଅ ନାରାୟଣ ବେହେରା। ଘରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଦୀର୍ଘ ୧୫ ବର୍ଷ ହେଲା ଦୁବାଇ ସହରର ଏକ ଘରୋଇ ଅଟୋମୋବାଇଲ କମ୍ପାନୀରେ ଟେକ୍ନିସିଆନ ଭାବେ କାମ କରିଆଥିଲେ ଓଡ଼ିଶାରେ ରହୁଥିବା ନିଜ ବାପ ମା’ ପରିବାରଙ୍କୁ ପୋଷୁଥିଲେ। ଗତ ୩ ତାରିଖରେ ହଠାତ୍ କୈାଣସି କାରଣରୁ ନାରାୟଣଙ୍କର ଦୁବାଇରେ ମୃତ୍ୟୁ ଘଟିଥିଲା। ଆଉ ସେଠାରୁ ଏହି ଦୁଃଖଦ ଖବର ପାଇ ସଂପୂର୍ଣ୍ଣ ପରିବାର ସହ ଅଂଚଳବାସୀ ସ୍ତବ୍ଧ ହୋଇ ଯାଇଥିଲେ।

ଏତେ ଦୂରରୁ କିପରି ପୁଅର ଶବ ଘରକୁ ଆସିବ ଓ ବୃଦ୍ଧ ବାପା ମା’ ପୁଅକୁ ଶେଷ ଥର ପାଇଁ କିପରି ଦେଖିବେ, ତାକୁହିଁ ଭାବି ଭାବି ଆଖିରୁ ଲୁହ ଶୁଖୁନଥିଲା। ଯେଉଁ ପୁଅକୁ ମା ଦିନେ’ ନିଜ ପେଟରେ ୧୦ ମାସ ୧୦ ଦିନ ରଖିଥିଲା ଆଜି ସେହି ପୁଅର ମୁହଁ ଦେଖୁବାକୁ ବାଇଆଣି ପାଲଟି ଯାଇଥିଲା ମା’ ।  ଘରର ଗୋଟିଏ କୋଣରେ ଗୁମୁରୀ ଗୁମୁରୀ କାନ୍ଦୁଥିଲା ସାତ ଜନ୍ମ କୁ ସାଥୀ କରିଥିବା ଧର୍ମପତ୍ନୀ। ଏହାରି ଭିତରେ ଦୁନିଆ ଭଲ କରି ଦେଖି ନଥିବା କୁନି ଝିଅଟି ଭାବୁଥିଲା କ’ଣ ବାପା ମୋର ଆଉ ଫେରିବେନି ? କାହାରି ପାଖରେ ନଥିଲା ଉତ୍ତର। ଶେଷରେ ନିଃସହାୟ ହୋଇ ପରିବାର କେନ୍ଦ୍ର ସରକାର ଙ୍କ ସହାୟତା ଲୋଡିଥିଲେ ପୁଅ ମୃତଦେହ ସୁଦୂର ଦୁବାଇ ସହର ରୁ ଆଣିବାକୁ।

ସେଥିପାଇଁ କେନ୍ଦ୍ର ସରକାର ଓ ବୈଦେଶିକ ମନ୍ତ୍ରଣାଳୟକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା। ଆଉ ପରିବାରର ଦୁଃଖ ଶୁଣି ତତକ୍ଷଣାତ୍ ଭାରତ ବୈଦେଶିକ ବିଭାଗ ଦୁବାଇରୁ ନାରାୟଣଙ୍କ ମୃତ ଦେହ ଆଣି ବୁହାଳ ଗାଁ ରେ ପହଞ୍ଚାଇଥିଲେ । ନାରାୟଣ ଙ୍କ ମୃତଦେହ ନିଜ ଗାଁ ବୁହାଳ ରେ ପହଞ୍ଚିଲା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା। ନାରାୟଣ ଙ୍କୁ ପରିବାର, ଆତ୍ମୀୟସ୍ବଜନ ଓ ସ୍ଥାନୀୟ ବାସିନ୍ଦା ଶେଷ ଦର୍ଶନ କଲା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ନାରାୟଣ ଙ୍କ ସାନଭାଇ ମୁଖାଗ୍ନୀ ଦେଇଥିଲେ।

ଭାରତ ସରକାରଙ୍କ ଏଭଳି ସହଯୋଗକୁ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଥିବାବେଳେ, ପରିବାରର ସେବା କରିବାକୁ ସୁଦୂର ଦୁବାଇ ଯାଇଥିବା ପୁଅକୁ ହରାଇ ଭାଙ୍ଗିପଡିଛି ପୁରା ପରିବାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.