ଜଣଙ୍କ ପରେ ଜଣେ ସମସ୍ତେ ଚାଲିଗଲେ ଏବେ ଅନ୍ଧାରରେ ଏହି ଚାରି ପିଲାଙ୍କ ଭବିଷ୍ୟତ

କୁନିକୁନି ଚାରି ଭାଇଭଉଣୀ l ଦୁଃଖେସୁଖେ ଚାଲିଥିଲା ସେମାନଙ୍କ ଜୀବନ ହେଲେ ସବୁ କିଛି ଛଡେଇ ନେଲା ସମୟ l ନା ଅଛନ୍ତି ବାପା ନା ମା’ l ଦାଉ ସାଧିଛି ଦଇବ l ମୂ୍ଣ୍ଡ ଉପରୁ ଚାଲିଯାଇଚି ହାତ l ଯାହାକୁ ଭରସା କରି ଦିନ କାଟୁଥିଲେ ଭଗବାନ ତାଙ୍କୁ ବି ଛଡାଇ ନେଲା l ଏବେ ଏହି ଅନାଥ ପିଲାଙ୍କ ଭବିଷ୍ୟତ କଣ ? ଯୋଉ ବୟସରେ ପରିବାର ସହ ଖେଳକୁଦ କରି ସମୟ କାଟିବା କଥା ସେଇ ବୟସରେ ସମସ୍ତଙ୍କୁ ହରାଇ ଅନାଥ ହୋଇଛନ୍ତି ଚାରି କୋମଳ ଶିଶୁ । ଏ ଘଟଣାଟି ହେଉଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର l ଏହି ଅନାଥ ପିଲାଙ୍କ ସୁରକ୍ଷିତ ଭରଣ ପୋଷଣ ପାଇଁ ଗ୍ରାମବାସି ସାହାଯ୍ୟ କରନ୍ତି ହେଲେ ଏମାନଙ୍କ ଭବିଷ୍ୟତ କଣ ?

କୁନ୍ଦୁରା ବ୍ଲକ ଖୀଲପୁଟର ବିଜୟ ପରଜା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି ହେଲେ ଦେଢ଼ ବର୍ଷ ତଳେ ଟିଭି ରୋଗରେ ତାଙ୍କର ମୃତ୍ୟୁ ହୋଇଗଲା l ଚାରଟି କୁନି କୁନି ଛୁଆଙ୍କୁ ନେଇ ଦୁଖେ ସୁଖେ ସ୍ତ୍ରୀ ବୁରୀ ପରିବାର ଚଳାଇବା ବଦଳରେ ଅଚାନକ ଛୁଆଙ୍କୁ ଛାଡି କୁଆଡେ ଚାଲିଗଲେ । ମା ବୁରି ପରଜାଙ୍କ ଆଜି ଯାଏ ପତା ମିଳିନଥିବା ବେଳେ ବୁଢ଼ୀ ଜେଜେମା ପଦ୍ମା ଆଶାଭରସା ପାଲଟି ଥିଲେ ଏଇ ଛୁଆ ମାନଙ୍କର । ହେଲେ ଦଇବ ସହିଲାନି ଏ ନିରୀହ ପିଲାଙ୍କ ଖୁସି । ବାର୍ଦ୍ଧକ୍ୟ ମୃତ୍ୟୁରେ ସମୟ ଛଡାଇନେଲା ସେମାନଙ୍କ ଶେଷ ଆଶା ଭରସାକୁ । ଜେଜେମା ପଦ୍ମାଙ୍କ ମୃତ୍ୟୁ ପିଲାଙ୍କୁ ବେସାହାରା କରିଦେଇଥିବା ବେଳେ ନିରିହ ଛୁଆଙ୍କ ପାଟିରେ ଶବ୍ଦ ନାହିଁ l ହେଲେ ଲୁହ ଛଳଛଳ ଆଖି ସବୁ କହିଦେଉଛି l ଦଇବ ଦାଉ ସାଧିବା ଭଳି ଏ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରେ l ସେପଟେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗାଁ’ରେ ପହଁଚି ଆଲୋଚନା ପରେ ସରକାରୀ ସାହାଯ୍ୟ ଓ ସେମାନଙ୍କ ଥଇଥାନର ବ୍ୟବସ୍ଥା କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ସବୁଦିନ ପାଇଁ ପ୍ରଶାସନର ସହଯୋଗ ପାଇଁ ନେହୁରା ହେଇଛନ୍ତି ଗ୍ରାମବାସୀ ଓ ସମ୍ପର୍କିୟ l

Leave A Reply

Your email address will not be published.