Below header

ଗଞ୍ଜାମକୁ ଫେରିଲା କରୋନା କଟକଣା, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସ୍‌ଓପି ଜାରି

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମକୁ ଫେରିଲା କରୋନା କଟକଣା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯାଇଛି । ସ୍ୱଚ୍ଛତା, ସାମାଜିକ ଦୂରତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ପାଇଁ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ବଜାର, ଧାର୍ମିକ ଅନୁଷ୍ଠାନ ପରି ଜନଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡ୍ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଓ ବେସରକାରୀ  କାର୍ଯ୍ୟାଳୟରେ କୋଭିଡ୍ କଟକଣା କଡାକଡି ଲାଗୁ କରାଯିବ । ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଅଫିସ୍‌କୁ ପ୍ରବେଶ ବେଳେ କର୍ମଚାରୀ ହାତ ଧୋଇବେ ବା ସାନିଟାଇଜ୍ କରିବେ । ଅଫିସ୍‌ରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ । ବ୍ଲକ ଓ ସହରାଞ୍ଚଳରେ ମାସ୍କ ଚେକିଂ ପଏଣ୍ଟ କରାଯିବ । ସ୍ଥାନୀୟ ଥାନା ଅଧିକାରୀଙ୍କ ସହଯୋଗରେ ତହସିଲଦାର, ବିଡିଓ ଓ ପୌର ସଂସ୍ଥା ନିର୍ବାହୀ ଅଧିକାରୀମାନେ ସେମାନଙ୍କ ଅଞ୍ଚଳରେ ମାସ୍କ ଚେକ୍ ପଏଣ୍ଟ କରି ଚଢଉକୁ ଜୋରଦାର କରିବେ । ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ସ୍ୱାବ୍ ସଂଗ୍ରହ କରି କୋଭିଡ୍ ପରୀକ୍ଷା କରାଯିବ । ବିଡିଓଙ୍କ ସହ ଆଲୋଚନା କରି ପ୍ରତ୍ୟେକ ଦିନ ସ୍ୱାବ୍ ସଂଗ୍ରହକୁ ତଦାରଖ କରିବାକୁ ଉପଜିଲ୍ଲାପାଳଙ୍କୁ କୁହାଯାଇଛି ।

ଆକ୍ରାନ୍ତଙ୍କୁ ପରୀକ୍ଷା କରିବା ପାଇଁ ତୁରନ୍ତ ଚିହ୍ନଟ କରିବା ଲାଗି ଆଶା, ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ସହରାଞ୍ଚଳର ଦୋକାନୀ ଓ ବ୍ୟବସାୟୀ କୋଭିଡ୍ ନିୟମାବଳୀ ମାନିବା ବାଧ୍ୟତାମୂଳକ । ବଜାର ଅଞ୍ଚଳରେ ଥିବା ଦୋକାନ ଗୁଡିକ ପଞ୍ଚସୂତ୍ର ନିୟମାବଳୀ ମାନିବା ବାଧ୍ୟତାମୂଳକ । ଦୋକାନୀଙ୍କୁ ପ୍ରତି ସହରାଞ୍ଚଳ ସଂସ୍ଥା କୋଭିଡ୍ ମୁକ୍ତ ପ୍ରମାଣପତ୍ର ଦେବେ । ଘରୋଇ ଓ ସରକାରୀ ବସ୍ ଗୁଡ଼ିକରେ କୋଭିଡ୍ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.