ମଣିଷ ଆଖିକୁ ଚକମା ଦେଉଛି AI କ୍ୟାମେରା, ଖୋଜି ଖୋଜି ଧରୁଛି ମାଟ୍ରିକ ପରୀକ୍ଷା ବିଭ୍ରାଟ

ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ବି ଧରାପଡ଼ିଲା ଅବ୍ୟବସ୍ଥା । ଅବ୍ୟବସ୍ଥା ଠାବ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କ୍ୟାମେରା । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଅବ୍ୟବସ୍ଥା ଚିହ୍ନଟ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ବି ଧରାପଡ଼ିଲା ଅବ୍ୟବସ୍ଥା । ଅବ୍ୟବସ୍ଥା ଠାବ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କ୍ୟାମେରା । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଅବ୍ୟବସ୍ଥା ଚିହ୍ନଟ କରାଯାଇଛି । ଭଦ୍ରକ ଓ ଯାଜପୁର ଜିଲ୍ଲାର ଦୁଇଟି କେନ୍ଦ୍ର ଏବଂ କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଲେଖାଏଁ କେନ୍ଦ୍ରରେ ଏହି ଅବ୍ୟବସ୍ଥା ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର ପୂର୍ବରୁ ଖୋଲାଯାଇଥିଲା । ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ମଧ୍ୟ ପ୍ରଶ୍ନପତ୍ର ଗୁଡିକୁ ଲୁହା ବାକ୍ସରେ ରଖାଯାଇ ନଥିଲା । ସେହିପରି ଯାଜପୁର ଜିଲ୍ଲାର ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା AI କ୍ୟାମେରାରେ ଜଣାପଡିଛି । ଏହି କେନ୍ଦ୍ରରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲା ଯାଇଥିବାବେଳେ ସେଣ୍ଟର ସୁପରିଟେଣ୍ଡେଣ୍ଟ ଜାଣିଶୁଣି ମୋବାଇଲ ବନ୍ଦ ମୋଡ଼ରେ ରଖିଥିଲେ ।

କେନ୍ଦୁଝର ଜିଲ୍ଲାର ହାଟଡ଼ିହି ଉଚ୍ଚ ବିଦ୍ୟାଳୟର ୫ ନମ୍ବର ରୁମରେ ଅବ୍ୟବସ୍ଥା ଠାବ କରାଯାଇଛି । ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ପରସ୍ପର ମଧ୍ୟରେ କଥା ହେବା ସହିତ ଇଆଡ଼େ ସିଆଡେ ବୁଲୁଥିଲେ । ଗଜପତି ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ୫ ନମ୍ବର ରୁମରେ ପରୀକ୍ଷାର୍ଥୀମାନେ କୋଳାହଳ କରୁଥିଲେ । ଅନ୍ୟର ସାହାଯ୍ୟ ପାଇଁ ପରୀକ୍ଷାର୍ଥୀମାନେ ଏପରି ଆଚରଣ କରୁଥିଲେ ମାତ୍ର ସମ୍ପୃକ୍ତ ରୁମର ଦାୟିତ୍ୱ ଥିବା ଇନଭିଜିଲେଟର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ସେହିପରି ନବରଙ୍ଗପୁର ଜିଲ୍ଲାର ସରକାରୀ UG ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଜଣାପଡିଛି । କଣ୍ଟ୍ରୋଲ ରୁମରେ ଏହି ଅବ୍ୟବସ୍ଥା ଚିହ୍ନଟ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କୁ ବୋର୍ଡ ନିର୍ଦ୍ଦେଶ ଦେଇଥିଲା । କପି କରିଥିବା ଅନେକ ପରୀକ୍ଷାର୍ଥୀମାନଙ୍କୁ ଏମପି କରାଯାଇଥିଲା । ତେବେ ଦାୟିତ୍ୱରେ ଥିବା ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୋର୍ଡ ସୁପାରିଶ କରିଛି ।

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.