କଫିି ଚାହିଦା ଦେଖି ଓଡିଶାରେ ୧.୫ ଲକ୍ଷ ହେକ୍ଟର କଫି ଚାଷ କରିବାକୁ ଲକ୍ଷ୍ୟ, ଆନନ୍ଦରେ ଚାଷୀ

ଓଡିଶାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ କଫି ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଭାରତୀୟ କଫି ବୋର୍ଡ ଆବଶ୍ୟକ ସହାୟତା ଯୋଗାଇଦେବ ବୋଲି ବୋର୍ଡର ସଚିବ ପ୍ରତିଶୃତି ଦେଇଛନ୍ତି । ଫଳରେ କଫି ଚାଷୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

କୋରାପୁଟ(କେନ୍ୟୁଜ): କଫି ନାଁ ଶୁଣିଲେ ଲୋଭ ଆସେ । କିଛି ଲୋକ ଦିନର ଆରମ୍ଭ କଫିରୁ ହିଁ କରିଥାନ୍ତି । ତେବେ ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିର ଗୁରୁତ୍ୱ ବଢ଼ିବାରେ ଲାଗିଛି । ତେଣୁ ଓଡିଶାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ କଫି ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଭାରତୀୟ କଫି ବୋର୍ଡ ଆବଶ୍ୟକ ସହାୟତା ଯୋଗାଇଦେବ ବୋଲି ବୋର୍ଡର ସଚିବ ପ୍ରତିଶୃତି ଦେଇଛନ୍ତି । ଫଳରେ କଫି ଚାଷୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ।

ରାଜ୍ୟରେ କଫି ଚାଷକୁ ପ୍ରାଥମିକତା ଦେଇ ଚାଷ କରିବା ସହ ଉତ୍ପାଦ, ଉତ୍ପାଦକ ଓ ଉତ୍ପାଦନକୁ ଗୁରୁତ୍ବ ଦେଲେ କୋରାପୁଟ କଫି ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବ। ଓଡ଼ିଶାରେ କଫି ଚାଷ ଏକ ଲକ୍ଷ ହେକ୍ଟରକୁ ଛୁଇଁବ ବୋଲି ଆଶା କରାଯାଉଛି । ଏହାସହ କଫି ଗଛ ଫଳବତୀ ହେବାକୁ ୪ରୁ ୫ ବର୍ଷ ଲାଗୁଥିବାରୁ ଚାଷୀଙ୍କୁ ଆର୍ଥିକ ଲାଭ ପ୍ରଦାନ ପାଇଁ କଫି ସହ ଆମ୍ବ, ମସଲା ଜାତୀୟ ଫସଲ ଓ ସପୁରୀ ଚାଷ କରିବାକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ରୀୟ କଫି ବୋର୍ଡର ସିଇଓ ତଥା ସଚିବ କେ.ଜି.ଜଗଦିଶ । କୋରାପୁଟ ଗସ୍ତରେ ଆସି ସଦଭାବନା ସଭାଗୃହ ଠାରେ ପ୍ରଥମେ ପଦାଧିକାରୀ ମାନଙ୍କ ସହ ବିସ୍ତୃତ ଭାବେ ସମୀକ୍ଷା କରିବା ପରେ ଚାଷୀ ମାନଙ୍କ ସହ ବୈଠକ କରିଥିଲେ ।

କଫି ଚାଷର ପ୍ରସାର ଓ ବିକାଶ ପାଇଁ ରାଜ୍ୟ ସରକାର ଯାହା ପ୍ରସ୍ତାବ ଦେବେ କଫି ବୋର୍ଡ ଗୁରୁତ୍ବ ଦେଇ କାର୍ଯ୍ୟ କରିବ ବୋଲି କଫି ସଚିବ ମତ ଦେଇଛନ୍ତି। କୋରାପୁଟ ସମେତ ଓଡିଶାରେ କଫି ଚାଷ ପାଇଁ ମାଟି ଓ ଜଳବାୟୁ ଅନୁକୂଳ ରହିଛି । ବିସ୍ତୀର୍ଣ୍ଣ ଜମି ରହିଥିବା ବେଳେ ଲୋକଙ୍କ ମଧ୍ୟରେ କଫି ଚାଷ କରିବା ପାଇଁ ଆଗ୍ରହ ଓ ଉତ୍ସାହ ଅଛି । ବିଶେଷ କରି କଫି ଚାଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତି ସେମାନଙ୍କୁ ସ୍ୱାବଲମ୍ବୀ କରାଇବ । ତେବେ ଅନ୍ୟାନ୍ୟ ଚାଷ ଭଳି କଫି ଚାଷକୁ ମୁଖ୍ୟ ଚାଷ ଭାବେ ଆପଣାଇଲେ କଫି ଚାଷୀ ବହୁତ ଲାଭବାନ ହୋଇପାରିବେ । ଚାଷୀମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସକାଶେ ଉପଯୁକ୍ତ ତାଲିମ ଦେବାର ଆବଶ୍ୟକତା ରହିଛି । ଏହା ସହ ଅଧିକରୁ ଅଧିକ ଲୋକଙ୍କୁ କଫି ଚାଷ ପାଇଁ ସାମିଲ କରିପାରିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ଚାଷୀଙ୍କ ଲାଭ ବହୁ ଗୁଣିତ ହୋଇପାରିବ । କଫି ଚାଷୀଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି କେନ୍ଦ୍ରୀୟ କଫି ସଚିବ କହିଛନ୍ତି।

କଫିର ବ୍ୟବସାୟ ପାଇଁ କର୍ଣ୍ଣାଟକରେ ଯେଉଁଭଳି ସୁଯୋଗ ଓ ବ୍ୟବସ୍ଥା କରାଯାଇଛି ଓଡିଶାରେ ମଧ୍ୟ କଫିର ବ୍ୟବସାୟ ପାଇଁ ଚାଷୀମାନେ ଦାବି କରିଥିଲେ । ଦାବି ପୂରଣ କରିବା ନେଇ କଫି ବୋର୍ଡ ସଚିବ ନିର୍ଭର ପ୍ରତିଶୃତି ଦେଇଥିବାରୁ କଫି ଚାଷୀ ଖୁସି ପ୍ରକାଶ କରିଛନ୍ତି । ରାଜ୍ୟରେ କଫି ଚାଷରେ କୋରାପୁଟ ଜିଲ୍ଲା ଅଗ୍ରଣୀ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସହାୟତା ମିଳିଲେ ଓଡିଶା ଭାରତର ସବୁ ଠାରୁ ଅଧିକ କଫି ଉତ୍ପାଦନ ରାଜ୍ୟର ମାନ୍ୟତା ହାସଲ କରିବ ବୋଲି ଚାଷୀ ଆଶା ପ୍ରକାଶ କରିଛନ୍ତି ।

କଫିର ଚାହିଦା ବଢ଼ୁଥିବାବେଳେ ଯଦି ଓଡ଼ିଶାର କୋରାପୁଟରେ ହିଁ କଫି ଅଧିକ ଉତ୍ପାଦନ ହେବ ତେବେ ଚାଷୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ । ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଲେ ସେମାନେ ଅଧିକ ରୋଜଗାର କରିପାରିବେ ବୋଲି ଆଶା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.