ବଢୁଛି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ମୟୂରଭଞ୍ଜ ଜିଲ୍ଲାର ସବୁ ସରକାରୀ କର୍ମଚାରୀ

ବାରିପଦା(କେନ୍ଯୁଜ୍): ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିଥିବା ପ୍ରତିବାଦରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ମୟୂରଭଞ୍ଜ ଜିଲ୍ଲାର ସବୁ ସରକାରୀ କର୍ମଚାରୀ । କଳା ବ୍ୟାଜ୍‌ ପିନ୍ଧି ଆନ୍ଦୋଳନ କରିବେ । ଜିଲ୍ଲା ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଦୁଇ ଅଧିକାରୀଙ୍କ ମାଡ଼ ଘଟଣା ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି। ୨୧ତାରିଖରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜ ପିଏଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ନିରୀକ୍ଷଣ ବିଭାଗର ୨ ଅଧିକାରୀଙ୍କୁ ବାରମ୍ବାର ଫୋନ କରି ଏମପି ଲାଡ ସଂପର୍କରେ ଆଲୋଚନା ପାଇଁ ଡାକିଥିଲେ ।

ସେମାନେ ତକତପୁରରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବା ପରେ ସଟର ପକାଇ ପ୍ଲାଷ୍ଟିକ ଚେୟାରରେ ନିସ୍ତୁକ ମାଡ଼ ମାରିିଥିଲେ । ଏଥିରେ ଜଣଙ୍କ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏନେଇ ଆହତ କର୍ମଚାରୀଙ୍କ ପକ୍ଷରୁ ବାରିପଦା ଟାଉନଥାନାରେ ଅଭିଯୋଗ ରୁଜୁ କରାଯାଇଛି।

ଅନ୍ଯପଟେ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ ମାରିଥିବା କେନ୍ଦ୍ରମନ୍ତ୍ରୀ ବିଶେ୍ଵଶର ଟୁଡୁଙ୍କୁ ତୁରନ୍ତ ସାମ୍ବିଧାନିକ ପଦ ପଦବୀରୁ ହଟାଇବା ସହ ଗିରଫ ଦାବି କରିଛି ବିଜେଡି । ବାରିପଦା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ଜଣାଇଲେ ରାଜସ୍ୱ ମନ୍ତ୍ରୀ ତଥା ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ସୁଦାମ ମାରାଣ୍ଡି । ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବାରୁ ଯଥାଶୀଘ୍ର ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାନଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ପୂର୍ବରୁ ମଧ୍ୟ ଅଧିକାରୀ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ରହିଛି । ସରକାରୀ କର୍ମଚାରୀଙ୍କ ପ୍ରତି ମନ୍ତ୍ରୀଙ୍କ ଅଶ୍ଳୀଳ ଉଚ୍ଚାରଣ, ଅଭଦ୍ର ବ୍ୟବହାର ତଥା ଆକ୍ରମଣ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଶୋଭନୀୟ ନୁହେଁ ବୋଲି ସୁଦାମ ମାରାଣ୍ଡି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.