ରୋଗୀ ବଦଳରେ ଗଞ୍ଜେଇ ବୋହିଲା ଆମ୍ବୁଲାନ୍ସ: ୯୦କେଜି ଗଞ୍ଜେଇ ଜବତ ସହ ୨ଜଣ ଗିରଫ

ଆମ୍ବୁଲାନ୍ସ ସହ ଭିତରେ ଥିବା ୩ଟି ବସ୍ତାରୁ ୯୦ କେଜି ଗଞ୍ଜେଇ ଜବତ ସହ ୨ଜଣ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗ ଓ ଅନ୍ୟଜଣେ ବାଙ୍ଗିରପଶି ଅଞ୍ଚଳର ବୋଲି ଜଣାପଡିଛି।

ଯାଜପୁର (କେନ୍ୟୁଜ): ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ। ଏଭଳି ଗଞ୍ଜେଇ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ କରିଛି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ପୋଲିସ। ଆମ୍ବୁଲାନ୍ସ ସହ ଭିତରେ ଥିବା ୩ଟି ବସ୍ତାରୁ ୯୦ କେଜି ଗଞ୍ଜେଇ ଜବତ ସହ ୨ଜଣ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗ ଓ ଅନ୍ୟଜଣେ ବାଙ୍ଗିରପଶି ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ମୁତାବକ, ଗତକାଲି ୧୬ନଂ ଜାତୀୟ ରାଜପଥର ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ପୋଲିସର ଯାଞ୍ଚ ଚାଲିଥିବା ବେଳେ ଆମ୍ବୁଲାନ୍ସଟି ପୋଲିସକୁ ଦେଖି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ସମୟରେ ଆମ୍ବୁଲାନ୍ସରେ ଥିବା ୨ଜଣ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପୋଲିସ କାବୁ କରିଥିଲା।

ଯାଞ୍ଚ ପରେ ଆମ୍ବୁଲାନ୍ସରୁ ୩ଟି ବସ୍ତାରେ ମୋଟ ୯୦କେଜି ଗଞ୍ଜେଇ ଜବତ ହୋଇଥିଲା। ଏମାନେ କଟକ ମଙ୍ଗୁଳିରୁ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳକୁ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏନେଇ ପୋଲିସ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଜରି ରଖିଛି। ତେବେ ଜବତ ଆମ୍ବୁଲାନ୍ସଟି ଏକ ଘରୋଇ ଆମ୍ବୁଲାନ୍ସ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଏହି ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ଅଛି, ଏହି କାରବାର କେତେ ଦିନ ଧରି ଚାଲୁଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର।
ବାଇଟ- ଶରତ ଚନ୍ଦ୍ର ପାତ୍ର (ଥାନା ଅଧିକାରୀ, ବଡ଼ଚଣା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.