ବେକରୁ ଚେନ ଛିଣ୍ଡାଇବା ବେଳେ ଘଟିଲା ଦୁର୍ଘଟଣା, ବାଇକ୍ ମୋବାଇଲ ଛାଡି ଫେରାର ହେଲେ ଦୁର୍ବୃତ୍ତ

ଯାଜପୁର ରୋଡ(କେନ୍ୟୁଜ) : ୨୦ ନମ୍ଵର ଜାତୀୟ ରାଜପଥରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଛଡାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣା ଘଟିବାରୁ ବାଇକ୍ ଛାଡି ଫେରାର୍ ହୋଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି କୋରେଇ ଥାନା ଅନ୍ତର୍ଗତ କଣ୍ଟାଝରି ଛକରେ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନଦୁଆ ଗ୍ରାମ ନିବାସୀ କିଶୋର ଚନ୍ଦ୍ର ସାହୁ ତାଙ୍କ ପତ୍ନୀ ସୁଚିସ୍ମିତାଙ୍କୁ ଧରି ବାଇକ ଯୋଗେ ଯାଜପୁର ରୋଡରୁ ମାର୍କେଟିଂ କରିବାକୁ ଯାଇଥିଲେ ।

ତେବେ ମାର୍କେଟିଙ୍ଗ ସାରି ଘରକୁ ଫେରୁଥିବା ସମୟରେ ୨୦ ନମ୍ବର ଜାତୀୟ ରାଜପଥର କଣ୍ଟାଝରି ଛକ ନିକଟରେ ପଛ ପଟୁ ଦ୍ରୁତ ଗତିରେ ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୁଚିସ୍ମିତାଙ୍କ ବେକରୁ ପିନ୍ଧିଥିବା ସୁନା ଚେନ୍ କୁ ଛଡାଇ ଫେରାର୍ ହେବାକୁ ଉଦ୍ୟମ କରିଥିଲେ । କିନ୍ତୁ 100 ମିଟର ଦୂରରେ ସାମ୍ନା ପଟୁ ଅସୁଥିବା ଅନ୍ୟ ଏକ ବାଇକକୁ ପଲ୍ସର୍ ଚାଳକ ଧକ୍କା ଦେବା ଫଳରେ ଗାଡିଟି ରାଜରାସ୍ତାରୁ ତଳକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ ଦୁର୍ବୃତ୍ତ ଦୁଇ ଜଣଙ୍କୁ କାବୁ କରିବା ପୂର୍ବରୁ ବାଇକ ଓ ଏକ ଫୋନ ଛାଡି ଛିନ୍ତାଇ କରିଥିବା ଦୁଇ ଦୁର୍ବୁତ୍ତ ଫେରାର୍ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଧରିବାକୁ ଚେଷ୍ଟା କରି ସେମାନଙ୍କୁ ଗୋଡ଼ାଇ ଥିଲେ ହେଁ ସେଥିରେ ବିଫଳ ହୋଇଛନ୍ତି । କୋରେଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ପଲସର୍ ବାଇକ ଓ ଲୁଟେରା ମାନେ ବ୍ୟବହାର କରୁଥିବା ଏକ ମୋବାଇଲକୁ ଜବତ କରି ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା ଚଲାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.