କାଳିଆ ଯୋଜନାରୁ ଫାଇଦା କେତେ? ଆରମ୍ଭ ହୋଇ ସାରିଛି ତର୍ଜମା

ଦୈନିକ ଖବର କାଗଜ ଟାଇମ୍ସ ଅଫ୍ ଇଣ୍ଡିଆରେ ଏକ ଆର୍ଟିକିଲ୍ ପ୍ରକାଶ ପାଇଛି । ବିଶିଷ୍ଟ ସ୍ତମ୍ଭକାର ସ୍ୱାମୀନାଥନ୍ ଏସ୍ ଅଙ୍କେଲେସରିଆ ଆୟାର ଏହି ଆର୍ଟିକିଲ୍ ଲେଖିଛନ୍ତି WHY NAVEEN PATTNAIK HAS THE BEST SOLUTION FOR FRAM DISTRESS। ଏଥିରେ କୁହାଯାଇଛି କାଳିଆ ଯୋଜନା ଏକ ଭଲ ଯୋଜନା। ଋଣ ଛାଡ ହେଲେ କେବଳ ବଡ଼ ଚାଷୀ ଉପକୃତ ହେବେ। ଏହାର ସୁଫଳ କ୍ଷୁଦ୍ର ଚାଷୀଙ୍କୁ ମିଳିବ ନାହିଁ। କିନ୍ତୁ କାଳିଆରେ ବଡ଼ ଚାଷୀ ନୁହଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ଉପକୃତ ହୋଇପାରିବେ। ଚାଷୀଙ୍କ ପାଇଁ ଏହି ଯୋଜନାକୁ ଅନ୍ୟ ରାଜ୍ୟମାନେ ମଧ୍ୟ ଅନୁକରଣ କରିବା ଆବଶ୍ୟକ ।
ଏହି ଯୋଜନା ଆଗକୁ ଚାଷୀ ସମସ୍ୟା ସମାଧାନରେ ସହାୟକ ହେବ। କିନ୍ତୁ ହଠାତ୍ ଏହାକୁ ଲାଗି କରିବାକୁ ସମସ୍ୟା ଥିବା ନେଇ ଆର୍ଟିକଲରେ ଲେଖା ଯାଇଛି। କ୍ଷୁଦ୍ର ଚାଷୀ ଚିହ୍ନଟ ସହ ବ୍ୟାଙ୍କିଂ ସେବା ଇତ୍ୟାଦି ଯୋଜନା ଲାଗୁ କରିବାରେ ବାଧା ସୃଷ୍ଟି କରିପାରେ। ଯାହାକୁ ନେଇ ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଦେଛନ୍ତି। ଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଏହାସହ ଚାଷୀଙ୍କୁ ସଚେତନ କରାଇବାକୁ ବିଭିନ୍ନ ସ୍ଥାନରେ କାଳିଆକୁ ନେଇ ରଥ ଗଡୁଛି।
କାଳିଆ ଯୋଜନାରେ ଚାଷୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇଦେବେ । ୫୦ ହଜାର ଟଙ୍କା ପଯ୍ୟର୍ନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ । ୧୦ ଲକ୍ଷ ଭୂମିହୀନ ପରିବାରକୁ ଜୀବିକା ଉପାର୍ଜନ ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ ପାଇଁ ୧୨, ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ। ସେହିପରି ବିଭିନ୍ନ କାରଣରୁ ଚାଷ ପାଇଁ ଅସମର୍ଥ ୧୦ ଲକ୍ଷ ଚାଷୀଙ୍କୁ ବାର୍ଷିକ ଦିଆଯିବ ୧୦ ହଜାର ଟଙ୍କା । ୫୭ ଲକ୍ଷ ଚାଷୀ ଓ ଭୂମିହୀନ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସହାୟତା ଦିଆଯିବ ।