୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ଫେରାଇ ହୃଦୟ ଜିତିଲେ ଅଟୋ ଚାଳକ

ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମଣିଷ ପଣିଆ ଦେଖାଇ ହୃଦୟ ଜିତିଛନ୍ତି ଅଟୋ ଚାଳକ ।

ବ୍ରହ୍ମପୁର(କେନ୍ୟୁଜ୍‌): ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମଣିଷ ପଣିଆ ଦେଖାଇ ଜିତିଛନ୍ତି ହୃଦୟ । ଆମେ କହୁଛୁ ବ୍ରହ୍ମପୁର ସହରର ରେଳ ଷ୍ଟେସନର ଅଟୋ ଚାଳକ ଟି. ସିମାଦ୍ରି ପାତ୍ର ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଗୋଷାଣୀନୂଆଗାଁ ଓମ୍ ବିହାର ଅଞ୍ଚଳର ସିମାଞ୍ଚଳ ପାତ୍ର ନାମକ ଜଣେ ସାମରିକ କର୍ମଚାରୀ ଟ୍ରେନରୁ ଓହ୍ଲାଇବା ପରେ ନିଜ ସମ୍ପର୍କୀୟଙ୍କ ଘରକୁ ଆସିବା ଲାଗି ବ୍ରହ୍ମପୁର ରେଳ ଷ୍ଟେସନରୁ ଏକ ଅଟୋ ଭଡ଼ା ସୂତ୍ରରେ ନେଇଥିଲେ । ତେବେ ଅଟୋରେ ଯାତ୍ରା କରି ଓହ୍ଲାଇବା ସମୟରେ ସେ ତାଙ୍କ ବ୍ୟାଗଟିକୁ ଅଟୋରେ ହିଁ ଭୁଲିଯାଇଥିଲେ। ବ୍ୟାଗ ଛାଡିଥିବା ନେଇ ସେ ଜାଣି ନଥିବା ବେଳେ ଅଟୋ ଚାଳକ ଜଣକ ତାଙ୍କରି ବ୍ୟାଗ୍ ତାଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚାଇଥିଲେ । ତେବେ ବ୍ୟାଗରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନିଜ ସାଥି ମାନଙ୍କ ଉପସ୍ଥିତିରେ ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ହସ୍ତାନ୍ତର କରିଥିଲେ।

ତେବେ ଏନେଇ ସିମାଦ୍ରି ନିଜ ସଂଘର କର୍ମକର୍ତ୍ତାଙ୍କୁ ପ୍ରଥମେ ବ୍ୟାଗ ସମ୍ପର୍କରେ ଅବଗତ କରିଥିଲେ । ସମସ୍ତଙ୍କ ଉପସ୍ଥିତିରେ ବ୍ୟାଗ ଖୋଲାଯାଇଥିବା ବେଳେ ବ୍ୟାଗ ଭିତରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର, ଟଙ୍କା ଓ କିଛି କାଗଜ ପତ୍ର ଥିଲା । ଏହା ସହ ବ୍ୟାଗରେ ବ୍ୟାଗ ଛାଡିଦେଇଥିବା ବ୍ୟକ୍ତିଙ୍କ ପରିଚୟ ପତ୍ର ମଧ୍ଯ ରହିଥିଲା । ଏହାକୁ ଭିତ୍ତି କରି ସେ ତାଙ୍କ ସଂଘର କର୍ମକର୍ତ୍ତା ମାନଙ୍କ ସହ ଯେଉଁ ସ୍ଥାନରେ ସିମାଞ୍ଚଳକୁ ଛାଡିଥିଲେ ସେଠାକୁ ଯାଇଥିଲେ । ଏବଂ ଦୁଇରୁ ତିନି ଘଣ୍ଟା ଭିତରେ ସେହି ସ୍ଥାନରେ ସିମାଞ୍ଚଳ ପହଞ୍ଚିବା ପରେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା ।

gold

ଅଟୋ ଚାଳକଙ୍କ ଏଭଳି ମଣିଷପଣିଆ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି । ଏହା ସହ ନିଜ ବ୍ୟାଗ ଓ ବ୍ୟାଗରେ ଥିବା ସୁନା ଓ ଟଙ୍କା ସୁରକ୍ଷିତ ଭାବେ ପାଇପାରିଥିବାରୁ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟ ପଣିଆକୁ ଧନ୍ୟବାଦ ଜଣାଇଛନ୍ତି ସିମାଞ୍ଚଳ ଏବଂ ତାଙ୍କ ସମ୍ପର୍କୀୟ। ସେପଟେ ସିମାଦ୍ରୀଙ୍କ ଏଭଳି ସଚ୍ଚୋଟପଣିଆକୁ ନେଇ ଅନ୍ୟ ଅଟୋ ଚାଳକମାନେ ଭୂରି ଭୂରି ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଅଟୋ ଚାଳକଙ୍କ ଏଭଳି ଏକ ମହାନ କାର୍ଯ୍ୟକୁ ନେଇ ଗୋଷାଣୀନୂଆଗାଁ ଓମ ବିହାର ଦିପକ୍ ରେସିଡେନସିର କମିଟି ସଦସ୍ୟ ମାନେ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଓମ୍ ବିହାର ଓ ଶକ୍ତି ନଗର ୟୁଥ୍ କମିଟି ସହ ଭାରତୀୟ ଶିକ୍ଷା ଓ ସାସ୍କୃତିକ ପରିଷଦର କର୍ମକର୍ତ୍ତା ମାନେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ଅଟୋ ଡ୍ରାଇଭରଙ୍କୁ ଓପଢୌକନ ଦେଇ ସମ୍ୱର୍ଦ୍ଦିତ କରିଛନ୍ତି । ଅଟୋ ଚାଳଙ୍କ ଏଭଳି କାର୍ଯ୍ୟକୁ ପ୍ରଶସା କରିଛନ୍ତି ସଭିଏଁ ।

ପୂର୍ବରୁ ଜଣେ ମହିଳା ନିଜର ସୁନା ହାର ଅଟୋରେ ଛାଡିଦେଇଥିବା ବେଳେ ବ୍ରହ୍ମପୁର ସିଟି ବସଷ୍ଟାଣ୍ଡର ଅଟୋ ଚାଳକ ମହିଳାଙ୍କୁ ସେହି ସୁନା ଅଳଙ୍କର ଫେରାଇଥିବା ବେଳେ ଏବେ ପୁଣି ବ୍ରହ୍ମପୁର ରେଳ ଷ୍ଟେସନର ଅଟୋ ଚାଳକଙ୍କ ଏଭଳି ମହାନ କାର୍ଯ୍ୟ ସମାଜରେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.