ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯିବ ଆନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର(କେ ନ୍ୟୁଜ): ଯଶସ୍ୱୀ ସାଧକ ତଥା ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଏଥିସହ ଜନ୍ମସ୍ଥାନ ମ୍ୟୁଜିୟମ୍‌ ଓ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକଙ୍କୁ ପ୍ରତିବର୍ଷ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ପୁରସ୍କାର ରାଶି ବାବଦରେ ଦିଆଯିବ ୧୦ ଲକ୍ଷ ଟଙ୍କା । ଯୁବପୀଢୀଙ୍କ ଭିତରେ ଉଭୟ ଇଂରାଜୀ ଏବଂ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ପ୍ରତିବର୍ଷ ହାଇସ୍କୁଲସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ପୁରସ୍କାର ବାବଦରେ ସରକାର ଦେବେ ଏକ ଲଷ ଟଙ୍କା ।

ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟଙ୍କ ପ୍ରସ୍ତାବ ଅନୁସାରେ ଜନ୍ମସ୍ଥାନ ବାଲେଶ୍ଵର ଜିଲ୍ଲା ଶଙ୍ଖାରୀ ଗାଁରେ ପୈତୃକ ବାସଭବନକୁ ହାତକୁ ନେବେ ସରକାର । ଏହାକୁ ବଡ଼ଭାଇ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ନାମରେ ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ । ସେଠାରେ ଦୁଇ ଭାଇଙ୍କ ଦ୍ଵାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ସ୍ଥାପନ କରାଯିବ । ବାସଭାବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ କରିବେ ସରକାର । ସ୍ୱର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.