Below header

ଦିନେ ଯେଉଁ ପୀଡ଼ିତା ପୋଲିସ୍‌କୁ ଦୋଷ ଦେଉଥିଲେ ଆଜି ତାଙ୍କରି ମୁହଁରେ ପୋଲିସ୍‌ର ପ୍ରଶଂସା, ଜାଣନ୍ତୁ କଣ ଥିଲା ବାରଙ୍ଗ ଗଣବଳାତ୍କାରର ପୂରା ଘଟଣା

ଘଟଣା ଘଟିଥିଲା ମହାବାତ୍ୟା ପୂର୍ବରୁ

୧୯୯୯ ମସିହାରେ ଘଟିଥିଲା ପ୍ରଳୟଙ୍କରୀ ମହାବାତ୍ୟା । ଯାହା ଛାରଖାର କରି ଦେଇଥିଲା ଓଡ଼ିଶାର ଅନେକ ଅଞ୍ଚଳକୁ । ହେଲେ ଅକଟୋବରରେ ଘଟିଥିବା ଏହି ବାତ୍ୟା ପୂର୍ବରୁ ଆଉ ଏକ ଝଡ଼ କେବଳ ରାଜ୍ୟ ନୁହେଁ ଦେଶ ବିଦେଶକୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ତାହା ହେଉଛି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା । ୨୨ ବର୍ଷ ତଳର ଏହି ଚାଞ୍ଚଲ୍ୟକର ଘଟଣା ଏବେ ପୁଣି ତାଜା ହୋଇଛି ଯେତେବେଳେ ଏହାର ମୁଖ୍ୟ ଅଭିଯୋଗ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ୍‌ ପୋଲିସ୍‌ । ଆସନ୍ତୁ ଜାଣିବା ଏହି ଘଟଣା କଣ ଥିଲା ।

କିଏ ଏହି ଅଞ୍ଜନା?

ଅଞ୍ଜନାଙ୍କ ସ୍ୱାମୀ ଥିଲେ ଜଣେ ଆଇଏଫ୍‌ଏସ୍‌ ବା ଭାରତୀୟ ବୈଦେଶିକ ସେବାର ଅଧିକାରୀ । ୧୯୮୭ ମସିହାରେ ମାତ୍ର ୧୭ ବର୍ଷ ବୟସରେ ତାଙ୍କର ଅଞ୍ଜନାଙ୍କ ସହ ବିବାହ ହୋଇଥିଲା । ତେବେ ଅଞ୍ଜନାଙ୍କ ଅଭିଯୋଗ ଅନୁସାରେ ସ୍ୱାମୀ, ଶ୍ୱଶୁର ଓ ଶାଶୁ ଆଦି ତାଙ୍କୁ ବାହାଘର ରାତିରୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ତାଙ୍କର ପ୍ରଥମ ସନ୍ତାନ ଜନ୍ମ ପରେ ତାଙ୍କୁ ସମ୍ବଲପୁରରୁ ରାଉରକେଲାକୁ ନିଆଗଲା । ସେଠାରେ ଏକ ଘରୋଇ ନର୍ସିଂହୋମ୍‌ରେ ରଖି ଇଲେକଟ୍ରିକ୍‌ ସକ୍‌ ସହ ଅନ୍ୟ ଔଷଧ ମଧ୍ୟ ଦିଆଗଲା । ତାଙ୍କୁ ପାଗଳ ପ୍ରମାଣିତ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଥିଲେ । ତାପରେ ତାଙ୍କୁ ୧୦ ମାସ ପାଇଁ ବାପ ଘରକୁ ପଠାଇ ଦିଆଗଲା ।

ତେବେ ଅଞ୍ଜନାଙ୍କ ବାପା ମା ମାନବାଧିକର କମିଶନଙ୍କ ଦ୍ୱାରସ୍ଥ ହେଲେ ଏବଂ ଉଭୟ ପରିବାର ମଧ୍ୟରେ ବୁଝାମଣା ପରେ ପୁଣି ଶାଶୁ ଘରକୁ ଫେରିଥିଲେ ଅଞ୍ଜନା । ତଥାପି ତାଙ୍କ ଉପରେ କୁଆଡ଼େ ନିର୍ଯାତନା ଜାରି ରହିଥିଲା । ଏମିତିକି ତାଙ୍କୁ ମାଉଣ୍ଟଆବୁକୁ ନେଇ ବ୍ରହ୍ମାକୁମାରୀରେ ମିଶିବା ପାଇଁ ବାଧ୍ୟ କରାଯାଇଥିଲା । ଏସବୁ ଭିତରେ ୧୯୯୬ରେ ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ନେଲା । ଏହି ସମୟରେ ତାଙ୍କୁ ତାଙ୍କ ସ୍ୱାମୀ ରାଞ୍ଚିର ଏକ ହସପିଟାଲରେ ଛାଡ଼ି ଚାଲିଗଲେ । ସେଠାରେ ସେ ୯ ମାସ ୧୦ ଦିନ ଧରି ରହିଲେ । ତେବେ ହସପିଟାଲ ଡାକ୍ତର ତାଙ୍କୁ ସୁସ୍ଥ ଥିବା କହିଥିଲେ । ସେଠାରୁ ଫେରିବା ପରେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ତାଙ୍କୁ ଭୁବନେଶ୍ୱର ବସୁନ୍ଧରା ଗୃହରେ ରଖାଗଲା । ଏହାପରେ ସେ ସ୍ୱାମୀଙ୍କ ବିରୋଧରେ ଏଫ୍‌ଆଇଆର ଦେଲେ । ମାମଲାର ଯାଞ୍ଚ ପାଇଁ ତତ୍କାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କୁ ଦାୟିତ୍ୱ ଦେଲେ ସରକାର । ଏହି କ୍ରମରେ ୧୯୯୭ ଜୁଲାଇ ୧୧ ତାରିଖ ଦିନ ଆଡଭୋକେଟ୍‌ ଜେନେରାଲ ଆଲୋଚନା ପାଇଁ ଅଞ୍ଜନାଙ୍କୁ ତାଙ୍କ ବାସଭବନକୁ ଡାକିଥିଲେ । ତେବେ ସେଠାରେ ତାଙ୍କ ସହ ସେ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ କରିଥିବା ଅଞ୍ଜନା ଅଭିଯୋଗ ଆଣିଲେ । ଏହି ଘଟଣା ପରେ ଅଞ୍ଜନାଙ୍କ ପାଇଁ ସମର୍ଥନ ବଢ଼ିବାରେ ଲାଗିଲା । ବସୁନ୍ଧରାର କର୍ମୀମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମାମଲାରେ ନ୍ୟାୟ ପାଇଁ ଅନୁରୋଧ କଲେ । କୁଆଡ଼େ ପ୍ରତିଶ୍ରୁତି ମିଳିଥିଲା ୪ ଦିନ ଅପେକ୍ଷା କର । ହେଲେ ତା ଭିତରେ ଆଡଭୋକେଟ୍‌ ଜେନେରାଲ ଲଣ୍ଡନ ଚାଲିଗଲେ ।

ଚାରିଆଡ଼େ ଚର୍ଚ୍ଚାର ବିଷୟ ଥିଲା

ଏହାପରେ ଆରମ୍ଭ ହେଲା ତୀବ୍ର ଅସନ୍ତୋଷ ଓ ବିରୋଧ । ଅଞ୍ଜନାଙ୍କ ସହ ଥିବା ସାମାଜିକ କର୍ମୀମାନେ କଟକ କ୍ୟାଣ୍ଟନମେଣ୍ଟ ରୋଡ଼ ଥାନାରେ ଅଭିଯୋଗ କଲେ। ପୋଲିସ୍‌ କୁଆଡ଼େ ଏଫ୍‌ଆଇଆର ରଖିଲା ନାହିଁ ଏବଂ ଦୁର୍ବ୍ୟବହାର କଲା । ତେଣୁ ସ୍ଥାନୀୟ ପୋଲିସ୍‌ ଉପରେ ଭରସା ନଆସିବାରୁ ସାମାଜିକ କର୍ମୀମାନେ ସିବିଆଇ ଯାଞ୍ଚ ପାଇଁ ଦାବି କଲେ । ଏଥିରେ ସାମିଲ ହେଲେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାମାଜିକ କର୍ମୀ । ଏପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଅଞ୍ଜନା ପୋଲିସ୍‌ ସୁରକ୍ଷା ମାଗିଲେ । ହେଲେ ପୋଲିସ୍‌ ଓ ରାଜ୍ୟ ସରକାର ଟାଳଟୁଳ ନୀତି ଗ୍ରହଣ କଲେ ବୋଲି ଅଭିଯୋଗ ହୋଇଥିଲା । ସେଥିରେ ପୁଣି କଥା ଉଠିଲା ଯେ ମାମଲା ପ୍ରତ୍ୟାହାର ପାଇଁ କୁଆଡ଼େ ଅଞ୍ଜନାଙ୍କୁ ସରକାରୀ ଚାକିରି, ଘର ଓ ଟଙ୍କା ଦେବାକୁ ସର୍ତ୍ତ ରଖାଯାଇଥିଲା କିନ୍ତୁ ଅଞ୍ଜନା ଏଥିରେ ରାଜି ହେଲେ ନାହିଁ ।

ସେତେବେଳକୁ ଅଞ୍ଜନା ବସୁନ୍ଧରା ଗୃହ ଛାଡ଼ି ନିଜ ବାପା ମା’ଙ୍କ ଘରେ ରହୁଥିଲେ । ଆଉ ପରିସ୍ଥିତି ଦୃଷ୍ଟିରୁ ଚାପର ବଶବର୍ତ୍ତୀ ହୋଇ ତାଙ୍କ ବାପା ମା ମଧ୍ୟ ନିଜ ଝିଅକୁ ସେଠାରୁ ଚାଲିଯିବାକୁ କହିଲେ । ତେବେ କୋର୍ଟ ନିର୍ଦ୍ଦେଶ ଦେଲେ ଅଞ୍ଜନା ଚାହିଁଲେ ନିଜ ବାପା ମା’ଙ୍କ ଘରେ କିମ୍ବା ଶାଶୁ ଘରେ ରହି ପାରିବେ । ଏହାପରେ ଅଞ୍ଜନା ନିଜ ବାପ ଘରେ ରହିଲେ ଏବଂ ତାଙ୍କ ବାପା ମା ସେଠାରୁ ଚାଲିଗଲେ । କାରଣ ଅଞ୍ଜନାଙ୍କ ଉପରେ ସବୁବେଳେ ଆକ୍ରମଣର ଭୟ ରହୁଥିଲା।

୧୯୯୯ ଜାନୁଆରୀ ୯ ରାତି ୯ଟା

୧୯୯୮ ନଭେମ୍ବରରେ ଇନ୍ଦ୍ରଜିତ ରାୟ ମାମଲାର ଶୁଣାଣିରେ ୫ଟି ପଏଣ୍ଟ ରହିଥିଲା । ଯେମିତିକି ଓପନ୍‌ କୋର୍ଟରେ ଶୁଣାଣି, କ୍ୟାମେରାରେ ଶୁଣାଣିର ରେକର୍ଡ଼ ଆଦି ପଏଣ୍ଟ ରହିଥିଲା । ତେବେ ୧୯୯୯ ଜାନୁଆରୀ ୮ ତାରିଖ ଦିନ ମାମଲାରେ ଇନ୍ଦ୍ରଜିତଙ୍କୁ ମିଳିଗଲା ସ୍ଥଗିତାଦେଶ । ଆଉ ଏଥିରେ ମର୍ମାହତ ହେଲେ ଅଞ୍ଜନା ଏବଂ ତାଙ୍କ ସହ ଥିବା ସାମାଜିକ କର୍ମୀମାନେ । ତା ପରଦିନ କଟକରେ ଥିବା ନିଜ ଓକିଲଙ୍କ ସହ ମାମଲା ସମ୍ପର୍କରେ ବିଚାର ବିମର୍ଷ ପାଇଁ ଅଞ୍ଜନା ଯିବାକୁ ଚାହିଁଲେ । ଏଥିପାଇଁ ପୋଲିସ୍‌କୁ ସୁରକ୍ଷା ମଧ୍ୟ ମାଗିଲେ । ହେଲେ ତାଙ୍କୁ ପିଏସ୍‌ଓ ମିଳିଲା ନାହିଁ । ତେଣୁ ସେ ଏକ ଟ୍ୟାକ୍ସି କରି ନିଜର ଜଣେ ପୁରୁଷ ବନ୍ଧୁ ସୁତନୁ ଗୁରୁଙ୍କ ସହ କଟକ ବାହାରିଥିଲେ ବାରଙ୍ଗ ରାସ୍ତା ଦେଇ । ସେଦିନ ଥିଲା ୧୯୯୯ ମସିହା ଜାନୁଆରୀ ୯ ତାରିଖ । ଆଉ ରାତି ଠିକ୍‌ ୯ଟା ବେଳେ ବାରଙ୍ଗ ନିକଟ ଜଙ୍ଗଲିଆ ଜାଗାରେ ତାଙ୍କ ରାସ୍ତା ରୋକିଲେ ୩ ଜଣ ଦୁର୍ବୃତ୍ତ । ସେମାନେ ସ୍କୁଟରରେ ଆସିଥିଲେ । ତା ପରେ ଅଞ୍ଜନାଙ୍କ ସହ ଥିବା ପୁରୁଷ ବନ୍ଧୁଙ୍କୁ ଖୁବ୍‌ ମାଡ଼ ମାରି ଆହତ କରିଦେଲେ ଏବଂ ବନ୍ଧୁକ ମୁନରେ ଅଞ୍ଜନାଙ୍କ ଇଜ୍ଜତ ଲୁଟିଲେ । ରାତି ୯ଟାରୁ ଭୋର ୪ଟା ଯାଏ ଚାଲିଥିଲା ଏଇ ଅଭାବନୀୟ କାଣ୍ଡ।

ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କଲା । ଅଞ୍ଜନାଙ୍କ ସପକ୍ଷରେ ବାହାରିଲେ ଅନେକ ସାମାଜିକ କର୍ମୀ । ଏତିକି ବେଳେ କୁଆଡ଼େ ତତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଜନାଙ୍କ ପ୍ରତି ମନ୍ତବ୍ୟକୁ ନେଇ ଆହୁରି ତାତିଲେ ଲୋକେ । ସେ କହିଥିଲେ ମହିଳା ଜଣକ ଉତ୍ତେଜକ ପୋଷାକ (ଜିନ୍‌ସ) ପିନ୍ଧିଥିଲେ । ଏତେ ରାତିରେ ତାଙ୍କର ଏଭଳି ଭାବେ ପୁରୁଷ ବନ୍ଧୁଙ୍କ ସହ ଯିବାର ନଥିଲା । ସେହି ପୁରୁଷ ବନ୍ଧୁ ଜଣକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଇନ୍ଦ୍ରଜିତଙ୍କୁ ଗିରଫ କରାଯାଉ ବୋଲି ଦାବି ଜୋର ଧରିଥିଲା ।

ସିବିଆଇ ଯାହା ପାରିଲାନି କରି ଦେଖାଇଲା କମିଶନରେଟ୍‌ ପୋଲିସ୍‌

ଘଟଣାର ୧୭ ଦିନ ପରେ ଅଭିଯୁକ୍ତ ପଦିଆ ଓ କୁନିଆ ଗିରଫ ହୋଇଥିଲେ । ତେବେ ସେବେଠାରୁ ଫେରାର ଥିଲା ବିବନ । ଯିଏ ଏବେ ଧରାପଡ଼ିଛି । କମିଶନରେଟ୍‌ ପୋଲିସ୍‌ ବିଶେଷ କରି ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ତତ୍ପରତା ଫଳରେ ମାମଲାରେ ପୋଲିସ୍‌କୁ ବଡ଼ ସଫଳତା ମିଳିଛି । କାରଣ ବିବନ ନିଜ ନାଁ ବଦଳାଇ ମୁମ୍ବାଇରେ ଲୁଚିଥିଲା । ଏମିତିକି ତାର ଘର ଲୋକେ ବିବନର ଡେଥ୍‌ ସାର୍ଟିଫିକେଟ୍‌ ବାହାର କରିବାକୁ ଉଦ୍ୟମ ଚଳାଇଥିଲେ । ଏତେ ବର୍ଷ ଧରି ଯାହା ସିବିଆଇ କରି ପାରି ନଥିଲା ତାହା କରି ଦେଖାଇଛି କମିଶନରେଟ୍‌ ପୋଲିସ୍‌ । ସେଥିପାଇଁ ପୀଡ଼ିତାଙ୍କ ମୁହଁରେ ପ୍ରଶଂସା । ଯେଉଁ ପୋଲିସ୍‌କୁ ସେ ଦିନେ ଦୋଷ ଦେଉଥିଲେ ଆଜି ସେହି ପୋଲିସ୍‌କୁ ପ୍ରଶଂସା କରୁଛନ୍ତି । ତେବେ ଫରକ ହେଉଛି ୨୨ ବର୍ଷର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.