ଧୋଇଗଲା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ, ବିରୋଧୀଙ୍କ ହୋହଲ୍ଲା ଯୋଗୁ ଚାଲିପାରିଲାନି ପ୍ରଶ୍ନକାଳ ଓ ଶୂନ୍ୟକାଳ

ଉଠିଲା ଚାଷୀ ପ୍ରସଙ୍ଗ । ଧୋଇଗଲା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ । ବିରୋଧୀଙ୍କ ହୋହଲ୍ଲା ଯୋଗୁ ଚାଲିପାରିଲାନି ପ୍ରଶ୍ନକାଳ ଓ ଶୂନ୍ୟକାଳ । ଚାଷୀ ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଆଜି ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ଶୋକ ପ୍ରସ୍ତାବ ଶେଷ ହେବା ପରେ ପ୍ରଶ୍ନକାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଏହାପରେ ନିଜ ଆସନରୁ କଂଗ୍ରେସ ବିଧାୟକମାନେ ଉଠି ଗୃହ ମଧ୍ୟଭାଗରେ ଚାଷୀ ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ଫଳରେ ବାଚସ୍ପତି ଦିନ ୧୨ଟା ୧୪ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ଶୂନ୍ୟକାଳରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା। ଫଳରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ ରଖାଯାଇଛି।

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ପ୍ରଶ୍ନକାଳ ବାତିଲ କରି ଆମେ ଚାଷୀଙ୍କ ସଂପର୍କରେ ଆଲୋଚନା କରିବାକୁ ଚାହୁଁଥିଲୁ । କିନ୍ତୁ ସରକାର ଚାଷୀଙ୍କ ସମ୍ବିଧାନିକ ଅଧିକାର ଛଡେଇ ନେଇଛନ୍ତି । ଚାଷୀଙ୍କ ଆନ୍ଦୋଳନ ଅଗଣତାନ୍ତ୍ରିକ ଭାବେ ଭଣ୍ଡୁର କରିଛନ୍ତି । ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ନରସିଂହ ମିଶ୍ର । ସେପଟେ ବିଜେପି କହିଛି ରାଜ୍ୟରେ ଚାଷୀ ସମସ୍ୟା ବଢିବାରେ ଲାଗିଛି । ଏସଂପର୍କରେ ବିଧାନସଭାରେ ଆଲୋଚନା ହେବା ଆବଶ୍ୟକ । ସେହିପରି ବିଜେଡି ବିଧାୟକ ସମୀର ଦାସ କହିଛନ୍ତି, ହୋହଲ୍ଲା କରି ଗୃହ ବନ୍ଦ କରିବା ଗଣତତନ୍ତ୍ର ପାଇଁ ଶୁଭଙ୍କର ନୁହଁ । ପ୍ରଶ୍ନକାଳ ସରିବା ପରେ ଏପ୍ରସଙ୍ଗରେ ଆଲୋଚନା ହୋଇପାରିଥାନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.