ଡରୁଛନ୍ତି ଛାତ୍ରଛାତ୍ରୀ : ଭଙ୍ଗା ଯାଉଛି ବାହାନଗା ହାଇସ୍କୁଲ, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ଶତାଧିକ ମୃତଦେହ

ଭଙ୍ଗାଚାଲିଛି ବାହାନଗା ହାଇସ୍କୁଲ । ଟ୍ରେନ ଦୁର୍ଘଟଣା ପରେ ଯେଉଁ ସ୍କୁଲ ଗୃହରେ ଶବ ଗୁଡିକୁ ରଖାଯାଇଥିଲା ତାକୁ ଏବେ ଭଙ୍ଗା ଯାଉଛି । ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗିଦେଉଛି ପ୍ରଶାସନ । ଭଙ୍ଗାଯିବା ସମୟରେ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଛି ।

ବାଲେଶ୍ୱର (କେନ୍ୟୁଜ): ଡରିଲେ ପିଲା, ଭାଙ୍ଗିଲା ଘର। ଭଙ୍ଗା ହେଉଛି ବାହାନଗା ହାଇସ୍କୁଲ। ଟ୍ରେନ୍‌ ଦୁର୍ଘଟଣା ପରେ ସ୍କୁଲରେ ମୃତଦେହ ରଖାଯାଇଥିବାରୁ ପିଲାମାନେ ଡରୁଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍କୁଲ ଘର ଭଙ୍ଗାଯିବା କାର୍ଯ୍ୟରେ ୨ଟି ଜେସିବି ନିୟୋଜିତ କରାଯାଇଛି। ତହସିଲଦାର ଓ ପୋଲିସ ଉପସ୍ଥିତିରେ ଚାଲିଛି ଭଙ୍ଗା କାର୍ଯ୍ୟ। ଗତକାଲି ବାଲେଶ୍ୱର ଜିଲ୍ଲାପାଳ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଗ୍ରୀଷ୍ମ ଛୁଟି ସରିଆସୁଛି, ଖୁବ୍‌ଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି। ହେଲେ ଦୁର୍ଘଟଣା ପରେ ପିଲାମାନେ ଭୟଭୀତ ହୋଇ ରହିଥିବାରୁ ପ୍ରଶାସନ ପକ୍ଷରୁ ସ୍କୁଲ ଘର ଭଙ୍ଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ସେପଟେ ଶବ ରହିଥିବା ଏହି ହାଇସ୍କୁଲର ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯାଇପାରେ ବୋଲି ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି। ଗତକାଲି ପ୍ରାୟ ସାଢ଼େ ୧୨ଟାରେ ଜିଲ୍ଲାପାଳ ଶ୍ରୀ ସିନ୍ଦେ ଓ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ବାହାନଗା ହାଇସ୍କୁଲରେ ପହଞ୍ଚି ମୃତଦେହ ରଖାଯାଇଥିବା ସ୍ଥାନ ଅନୁଧ୍ୟାନ କରିବା ସହ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କଥାବାର୍ତ୍ତା ପରେ ଜିଲ୍ଲାପାଳ ଶ୍ରୀ ସିନ୍ଦେ କହିଛନ୍ତି, ଅଞ୍ଚଳବାସୀ ତଥା ଅଭିଭାବକମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ।

 

Leave A Reply

Your email address will not be published.