ବାରିପଦାର ବାଳୁତ ଜଗନ୍ନାଥଙ୍କ ପରମ୍ପରା ସବୁଠୁ ନିଆରା

ପବିତ୍ର ରଥଯାତ୍ରା ଅବସରରେ ତିନିଠାକୁର ରଥାରୂଢ ହୋଇ ମାଉସୀ ମା’ ମନ୍ଦିର ଯାଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଚାଲିଛି ଏହି ପରମ୍ପରା । ମାତ୍ର ବାରିପଦା ରଥଯାତ୍ରାର କିଛି ରୀତି ନୀତି ରହିଛି ଯାହା ବେଶ୍‌ ନିଆରା। ଯେମିତି ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ସେହିଭଳି ବହୁ ପ୍ରାଚୀନ କାଳରୁ ବାରିପଦା ସ୍ଥିତ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଚାଲି ଆସିଛି ଏକ ଭିନ୍ନ ପରମ୍ପରା । ଏଠାରେ କୌଣସି ବଡ଼ ଲୋକ ନୁହେଁ କେବଳ କୁନି କୁନି ବାଳକ ବାଳିକାମାନେ ରଥକୁ ଟାଣିଥାନ୍ତି।

ଏହା ଚାଲି ଆସୁଛି ରାଜାଙ୍କ ଅମଳରୁ । ଏହାକୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । ମୁଖ୍ୟ ମନ୍ଦିରରେ ବଡ଼ ଜଗନ୍ନାଥଙ୍କ ସହ ପ୍ରଭୁଙ୍କର ଏକ ବାଳୁତ ଅବସ୍ଥାର ମୂର୍ତ୍ତି ମଧ୍ୟ ପୂଜା ପାଉଥିଲେ । ତାଙ୍କୁ ବଡ଼ ଜଗନ୍ନାଥଙ୍କ ସାଙ୍ଗ ବୋଲି କୁହାଯାଉଥିଲା । ରାଜତ୍ୱର ଶେଷ କାଳରେ ଏହି କୁନି ଜଗନ୍ନାଥଙ୍କୁ ନଦୀରେ ଭସାଇ ଦେବାକୁ ଚିନ୍ତା କରା ଯାଇଥିଲା। ମାତ୍ର ସେହି ରାତିରେ ମହାରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା କି ବାଳୁତ ଜଗନ୍ନାଥଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରି ତାଙ୍କୁ ସେଠାରେ ସ୍ଥାପିତ କରିବା ପାଇଁ.. । ସ୍ୱପ୍ନାଦେଶ ପାଇ ମହାରାଜା ନିର୍ମାଣ କରିଥିଲେ ବାଣ୍ଠିଆ ଜଗନ୍ନାଥ ମନ୍ଦିର। ଆଉ ସେହି ପ୍ରାଚୀନ କାଳରୁ ହିଁ ସମସ୍ତ ରୀତିନୀତିରେ ଚାଲିଲା ମହାପ୍ରଭୁଙ୍କ ପୂଜାର୍ଚ୍ଚନା। ଏଥି ସହିତ ମହାପ୍ରଭୁ ବାଳୁତ ହୋଇଥିବାରୁ ରଥକୁ କେବଳ ବାଳକମାନେ ରଥ ଟାଣିବାର ବ୍ଯବସ୍ଥା ହେଲା । ଚଳିତ ବର୍ଷ ମଧ୍ୟ ରଥ ଟାଣିବା ପାଇଁ ବାଳକ ବାଳିକାମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ପରମ୍ପରା ଅନୁଯାୟୀ ସକାଳ ୯ଟା ବେଳେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟକ୍ରମ। ପାଞ୍ଚ ୫ ହଜାରରୁ ଊର୍ଦ୍ଧ୍ୱ ବାଳକ ବାଳିକା ରଥକୁ ଟାଣିଥିଲେ ।

ତିନି ଠାକୁରଙ୍କ ପାଇଁ କେବଳ ଗୋଟିଏ ରଥ । ଏହି ରଥକୁ କୁନି କୁନି ପିଲାମାନେ ଟାଣିଥାନ୍ତି । ଯାହାକୁ ଦେଖଇବା ପାଇଁ ପ୍ରବଳ ଭିଡ଼ ହୁଏ । ଏଥର ମଧ୍ୟ ଏହି କୁନି ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା। ଶିଶୁମାନଙ୍କ ଦ୍ୱାରା ରଥ ଟଣାଯିବା ଦୃଶ୍ଯ ସୃଷ୍ଟି କରିଥିଲା ଏକ ଭିନ୍ନ ପରିବେଶ।

ରାଜାରାଜୁଡା ଅମଳରୁ ଆରମ୍ଭ ହୋଇଥବା ଏହି ରଥଯାତ୍ରାରେ କେବଳ ଯେ ମୟୁରଭଞ୍ଜବାସୀ ସାମିଲ ହୋଇଥାନ୍ତି ତାହା ନୁହେଁ, ପଡ଼ୋଶୀ ରାଜ୍ଯ ପଶ୍ଚିମବଙ୍ଗ ଓ ଝାଡଖଣ୍ଡରୁ ମଧ୍ଯ ଭକ୍ତଙ୍କ ସୁଅ ଛୁଟିଥାଏ ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.