ଆଗରୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ, କାଲି କଟକ କୋର୍ଟରେ ହେବ ବର୍ଷାଙ୍କ ପିଟିସନ୍‌ର ଶୁଣାଣି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତାକାଲି ସମସ୍ତଙ୍କ ନଜର ରହିବ କଟକ ଏସ୍‌ଡିଜେଏମ୍ କୋର୍ଟ-୧ ଉପରେ । କାରଣ ଏହି କୋର୍ଟର କାଠଗଡ଼ାରେ ପଡ଼ିବ ରାଜ୍ୟର ଦୁଇ ସେଲିବ୍ରିଟି ଦମ୍ପତିଙ୍କ ମାମଲା । ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା । ଛଅ ବର୍ଷର ବୈବାହିକ ଜୀବନରେ ଆସିଛି ଝଡ଼ । ପତ୍ନୀ ବର୍ଷା କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି ଅନେକ ସାଂଘାତିକ ଅଭିଯୋଗ ନେଇ । ସବୁ ଅଭିଯୋଗ ଅନୁଭବ ଓ ତାଙ୍କ ପରିବାର ବିରୋଧରେ । ପୁଣି ଭରଣ ପୋଷଣ ଦାବି କରିଛନ୍ତି । ତେବେ ଏସବୁ ଭିତରେ ସାମନାକୁ ଆସିଛି ଅନୁଭବଙ୍କ ପିଟିସନ୍ । କୁହାଯାଉଛି ବର୍ଷାଙ୍କ ପୂର୍ବରୁ ଅନୁଭବ ଏକ ୪୭ ପୃଷ୍ଠାର ପିଟିସନ୍ ଦାଖଲ କରିଛନ୍ତି । ଏଥିରେ ବର୍ଷାଙ୍କ ଠାରୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଆହୁରି ମଧ୍ୟ ପିଟିସନ୍‌ରେ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ଗୁରୁତର ଅଭିଯୋଗ ସବୁ ଆଣିଛନ୍ତି ।
ଯେମିତିକି, ବାହାଘରର ପ୍ରଥମ ଦିନରୁ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହୋଇଥିଲେ । ଏଥିଲାଗି ମାନସିକ ଭାବେ ପ୍ରସ୍ତୁତି ପାଇଁ ତିନି ମାସ ସମୟ ନେଇଥିଲେ ।

ପରଦାର ଏହି ସୁପରହିଟ୍ ଯୋଡ଼ିଙ୍କ ବ୍ୟକ୍ତିଗତ ଜୀବନରେ ଏତେ ବଡ଼ ଫାଟ ରହିଛି ବୋଲି କେହିବି ସୁରାକ୍ ପାଇନଥିଲେ । ପୁଣି ଗତ ଅଗଷ୍ଟ ୭ ତାରିଖରୁ ବର୍ଷା କୋର୍ଟରେ ପିଟିସନ୍ ମଧ୍ୟ ଦାଖଲ କରିଥିବା କଥା ଅଛପା ଥିଲା । ଆଉ ଯେତେବେଳେ ଖୋଲିଲା ଯେମିତି ବିସ୍ଫୋରଣ ହେଲା । କାରଣ ଦୁଇଜଣ ଯାକ ହେଉଛନ୍ତି ସିନେ ଦୁନିଆର ସୁପରଷ୍ଟାର । ପୁଣି ଅନୁଭବ କେବଳ ଅଭିନେତା ନୁହନ୍ତି ଜପ୍ରତିନିଧି ମଧ୍ୟ । ତେଣୁ ଉଭୟ ଫ୍ୟାନ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ଦେଖା ଦେଇଛି ।

ଏପଟେ ସୂଚନା ମିଳିଛି ଯେ ଦିଲ୍ଲୀର ଜଣେ ଝିଅକୁ ଅନୁଭବ ଭଲ ପାଉଛନ୍ତି ଏବଂ ତାଙ୍କୁ ବିବାହ କରିବା ପାଇଁ ବର୍ଷାଙ୍କୁ ଛାଡ଼ପତ୍ର ଦେଉଛନ୍ତି । ଏମିତିକି ବର୍ଷାଙ୍କ ପୂର୍ବରୁ ସେ ଦିଲ୍ଲୀର ଏକ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରି ସାରିଥିବା କୁହାଯାଉଛି । ତେବେ ଏତେ ସବୁ ଅଭିଯୋଗ ପରେ ଅନୁଭବ କାହିଁକି ପ୍ରତିକ୍ରିୟା ରଖୁ ନାହାନ୍ତି ତାକୁ ନେଇ ନାନା ଆଲୋଚନା ହେଉଛି ।

ଘରୋଇ ହିଂସା ବା ନିର୍ଯ୍ୟାତନା, ଆର୍ଥିକ ସ୍ୱାଧୀନତା ନଦେବା, ଅଭ୍ୟାସଗତ ମଦୁଆ, ଦୁର୍ବ୍ୟବହାର, ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଆଦି ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବର୍ଷା । ତାଙ୍କ ପିଟିସନ୍‌ରେ ଏହି ସବୁ କଥା ସହିତ ସେ ଛଅ ବର୍ଷର ବିବାହ ପରେ ବି ପରିବାର ଆଗକୁ ନବଢ଼ିବା କଥା ଉଠାଇଛନ୍ତି । ଯାହା ଅନ୍ୟ କିଛି ଦିଗକୁ ଇଂଗିତ କରୁଛି । ଏବେ ଦେଖିବାର କଥା ବର୍ଷାଙ୍କ ଅଭିଯୋଗର କି ଉତ୍ତର ରଖୁଛନ୍ତି ଅନୁଭବ ।
ପଢୁଥାନ୍ତୁ କେ ନ୍ୟୁଜ୍ । ପରବର୍ତ୍ତୀ ଖବରରେ ଆମେ ବିସ୍ତତ ଭାବେ ଦେବୁ ଅନୁଭବଙ୍କ ପିଟିସନ୍‌ରେ କଣ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.