ଏତେ କମ୍‌ ବୟସରେ ଅନେକ ସଫଳତା ପାଇ ସାରିଲେଣି ସୁନା ଝିଅ ସ୍ନେହା, ସତେ ରଙ୍ଗତୁଳୀ ପାଲଟିଛି ତାଙ୍କ ଜୀବନ

ଭଦ୍ରକ: ରଙ୍ଗ, ତୁଳୀ ଆଉ ଖଣ୍ଡେ ଧଳା କାଗଜ । ବାସ୍‌ ଏତିକି ହେଲେ ସ୍ନେହାଙ୍କ ହାତ ଚାଲିଲା । ପ୍ରତ୍ୟେକ ପିଲା ଭିତରେ ଥାଏ କିଛି ନା କିଛି ପ୍ରତିଭା । ତେବେ ସମସ୍ତଙ୍କୁ ମିଳେନି ସୁଯୋଗ । ହେଲେ  ନିଜ ପ୍ରତିଭା ସହ ସୁଯୋଗର ପୂରା ଉପଯୋଗ କରିଛନ୍ତି ଭଦ୍ରକ ସହର ବିଜୁ ପଟ୍ଟନାୟକ ନଗର ବାସିନ୍ଦା ଶରତ ଚନ୍ଦ୍ର ଦାସଙ୍କ ଝିଅ ସ୍ନେହା ଦାସ। ଏବେ ଏସ.ବି.ଡି. ଇଣ୍ଟରନ୍ଯାସନାଲ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ।

ବାପା ଦିଲ୍ଲୀରେ ଚାକିରି କରୁଥିବା ସମୟରେ ସେଠାରେ ମାତ୍ର ୫ ବର୍ଷ ବୟସର ରଙ୍ଗଭରୋ କାର୍ଯ୍ଯକ୍ରମରେ ଭାଗ ନେଇଥିଲେ ସ୍ନେହା। ସେତବେଳକୁ ଅବଶ୍ୟ ଚିତ୍ର କଳା ବିଷୟରେ କିଛି ବି ଜାଣି ନ ଥିଲେ। ତେବେ ସେଠାରେ ସମସ୍ତଙ୍କୁ ଚକିତ କରି ପ୍ରଥମ ସ୍ଥାନ ଅଧିକାର କଲେ ଆଉ ପୁରସ୍କାର ବି ପାଇଥିଲେ । ଏକଥା ଜାଣି ସେଠାରେ ଥିବା ଶିକ୍ଷକମାନେ ସ୍ନେହାଙ୍କ ଚିତ୍ରକୁ ପ୍ରଶଂସା କରିବା ସହ ତାଙ୍କୁ ଏଦିଗରେ ଆଗକୁ ନେବାକୁ ବାପା ଓ ମାଆଙ୍କୁ ପରାମର୍ଶ ଦେଇଥିଲେ । ପରେ ବାପା ଶରତ ଚନ୍ଦ୍ରଙ୍କ ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଥିଲା। ସେଠାରେ ଧୀରେ ଧୀରେ ସ୍ନେହାଙ୍କ ପ୍ରତିଭା ବିକଶିତ ହେଲା । ଓ୍ୱାଟର କଲର, କାନଭାସ ପେଣ୍ଟିଂ, ବଲପେନ ପେଣ୍ଟିଂ, ପେନସିଲ ସାଡିଂ ପ୍ରତି ଧ୍ୟାନ ଦେଇ ସବୁଥିରେ ସଫଳ ହେଲେ ସ୍ନେହା। ବୟସ ବଢିବା ସାଙ୍ଗକୁ ଚିତ୍ର କଳା ପ୍ରତି ତାଙ୍କର ଆଗ୍ରହ ମଧ୍ୟ ବଢି ଚାଲିଛି ।

paintଇଣ୍ଡିଆନ ଆର୍ଟ ହେଉ କି ପାରମ୍ପରିକ ଚିତ୍ର କି ପୋଟ୍ରେଟ କିମ୍ବା ସଚେତନତାର ଚିତ୍ର, ସବୁଥିରେ ନିଜର ପାରଦର୍ଶିତା ଦେଖାଇ ଚାଲିଛନ୍ତି ସ୍ନେହା । ସେ ଏବେ ସୁଦ୍ଧା ପ୍ରାୟ ଦୁଇ ଶହ ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଅଧିକାଂଶରେ ପ୍ରଥମ ପୁରସ୍କାର ପାଇଛନ୍ତି । କେବଳ ସେତିକି ନୁହେଁ, ରାଜ୍ଯ ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା, ଜାତୀୟ ସ୍ତରୀୟ ପ୍ରତିଯୋଗିତା ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ତିନି ତିନି ଥର ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ସେହିପରି ସ୍ନେହାଙ୍କ ଚିତ୍ର କଳା ପ୍ରତି ଥିବା ସ୍ୱତନ୍ତ୍ର ଆଗ୍ରହ ଦେଖି ତାଙ୍କ ବାପା ଏବେ ଭଦ୍ରକର ଜଣେ ଜଣା ଶୁଣା କଳା ଶିକ୍ଷକଙ୍କୁ ତାଙ୍କୁ ଗାଇଡ଼ କରିବା ପାଇଁ ନିୟୋଜିତ କରିଛନ୍ତି। ତେଣୁ ସ୍ନେହା ଏବେ କ୍ରିଏଟିଭ ଆର୍ଟ,ମଡ଼ର୍ଣ୍ଣ ଆର୍ଟ ଏବଂ ରିୟଲିଷ୍ଟିକ ଆର୍ଟ ଉପରେ ଶିକ୍ଷା ନେଉଛନ୍ତି । ସ୍ନେହା ଦିଲ୍ଲୀରେ ଅନୁଷ୍ଠିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ପାଇବା ସହିତ ଭୁବନେଶ୍ଵର, ଲଳିତକଳା ଏକାଡେମୀରୁ ପ୍ରଥମ ସ୍ଥାନ, ଆର୍ଟ ଆଣ୍ଡ ଆର୍ଟିଷ୍ଟ ଜାତୀୟସ୍ତର ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ, କୋରଶଳା ଓ୍ୱାଣ୍ଡର ଆର୍ଟ ଭିଲେଜ, ହାଇଦ୍ରାବାଦରୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ନେହା ଙ୍କୁ ତାଙ୍କର ଏହି ସଫଳତା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ପୁରସ୍କୃତ କରିଛନ୍ତି ।

sneha dasଚିତ୍ର ଆଙ୍କିବା ସହ ଓଡିଶୀ ନୃତ୍ୟ ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର ଆଗ୍ରହ । ସେ ପାଠରେ ଯେମିତ ପାରଙ୍ଗମ , ଚିତ୍ରଆଙ୍କିବା, ନୃତ୍ୟରେ ମଧ୍ୟ ସେମିତି ଦକ୍ଷ । ଖୁବ୍‌ ଶାନ୍ତ ସ୍ୱଭାବର ସ୍ନେହାଙ୍କର ଜୀବନ ପାଲଟିଛି ରଙ୍ଗତୁଳୀ । ନିଜର ଭାବନାକୁ ସେ ବିଭିନ୍ନ ରଙ୍ଗରେ ରଙ୍ଗେଇ ଦିଅନ୍ତି । ଏତେ କମ୍‌ ବୟସରେ ଅନେକ ସଫଳତା ପାଇ ସାରିଲେଣି ସେ । ଆଗକୁ ରହିଛି ଲମ୍ବା ଯାତ୍ରା । ମନେହୁଏ ଯେମିତି କେବଳ ଚିତ୍ର ଆଙ୍କିବାକୁ ଆଉ ସବୁଥିରେ ଫାଷ୍ଟ ହେବାକୁ ସ୍ନେହାଙ୍କ ଜନ୍ମ ।

ଭଦ୍ରକରୁ ନରେନ୍ଦ୍ର କୁମାର ସାମଲ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.