Below header

ପୂଜା ବଟି ମାଗିଲେ କରିପାରିବେ ଅଭିଯୋଗ, ଟୋଲ ଫ୍ରି ନମ୍ବର ଜାରି କଲା କମିଶନରେଟ୍ ପୋଲିସ

ସାବଧାନ୍ । ପୂଜା ବଟି ଆଦାୟକାରୀ ସାବଧାନ୍ । ପୂଜା ପାଇଁ ଏଣିକି ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କଲେ ବାନ୍ଧିବ ପୋଲିସ । କମିଶନରେଟ୍ ପୋଲିସ ଏଥିପାଇଁ ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ ଜାରି କରିଛି ।

ଭୁବନେଶ୍ୱର (କେନ୍ୟୁଜ): ଆରମ୍ଭ ହୋଇଗଲାଣି ପାର୍ବଣର ଋତୁ । ଆଗକୁ ଗଣେଶପୂଜା । ତା’ ପଛକୁ ଶାରଦୀୟ ଦୁର୍ଗାପୂଜା । ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳି ପର୍ଯ୍ୟନ୍ତ ଚାଲିବ ପୂଜାର ଆସର । ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥି ପାଇଁ ଚାନ୍ଦାଭେଦା ଆଦାୟ ପର୍ବ ମଧ୍ୟ ଜୋରଦାର ହେବ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ପୂଜା ନାଁରେ ଏଣିକି କେହି ଜୋରଜବରଦସ୍ତ ଚାନ୍ଦା ଆଦାୟ କରିପାରିବେ ନାହିଁ । ପୂଜାବଟି ଆଦାୟ ଉପରେ ଲାଗିବ ରୋକ । ଅଭିଯୋଗ ଆସିଲେ ବାନ୍ଧିବ ପୋଲିସ ।

ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୭୦୭୭୭୯୮୧୧୧ । ଅଭିଯୋଗକାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଗଣେଶ ପୂଜା ଓ ଦୁର୍ଗା ପୂଜା ପୂର୍ବରୁ ଏହି ପଦକ୍ଷେପ ନେଇଛିି କମିଶନରେଟ୍ ପୋଲିସ । ସେହିପରି ପେଶାଦାର ଅପରାଧୀଙ୍କୁ ଧରିବାକୁ ଗଠନ ହୋଇଛି ସ୍ପେଶାଲ ଟିମ । ନିଶା କାରବାର ଉପରେ ନୀତିଦିନ ଚାଲିଛି ଚଢ଼ାଉ । ଚୋରି, ଛିନତାଇ ଗ୍ୟାଙ୍ଗ ପରେ ଏବେ ଦାଦାବଟି ଉପରେ କଡା ନଜର ରଖିଛି ପୋଲିସ ।

ପୂଜା ପାର୍ବଣର ମାହୋଲରେ ଅନେକ ଅସାମଜିକ ମଧ୍ୟ ମାତିବେ । ପୂଜା ଆଳରେ ଦାଦାବଟି ଆଦାୟ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିବ । ସେମାନଙ୍କ ଉପରେ ନଜର ରଖିବା ଏବଂ ପୂଜାରେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା କମିଶନରେଟ୍ ପୋଲିସ ପାଇଁ ଚାଲେଂଜ୍ ହେବ ନିଶ୍ଚୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.