ଆପାର୍ଟମେଣ୍ଟରୁ ଡ଼େଇଁ ମହିଳାଙ୍କ ଆତ୍ମହତ୍ୟା ଘଟଣା, କଣ ସତ କହୁଛି ସୁଇସାଇଡ଼ାଲ୍ ନୋଟ୍ ?

ଭୁବନେଶ୍ବର(କେନ୍ଯୁଜ୍) : ଆପାର୍ଟମେଣ୍ଟର ୪ ମହଲା ଉପରୁ ଡେଇଁ ଜୀବନ ହାରିଲେ ମହିଳା । ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଓପେପା ଆକାଉଣ୍ଟସ୍‌ ନଳୀନି ପୃଷ୍ଟିଙ୍କ ମାଆ । ଏହି ଘଟଣା ପରେ ତାଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରାଯାଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ସୂରାକ ଖୋଜୁଛି ପୋଲିସ ।

suicide

ମୃତକ ଦେବକୀ ପୃଷ୍ଟି । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଥିବା ଓପେପା ଆକାଉଣ୍ଟସ୍‌ ନଳୀନି ପୃଷ୍ଟିଙ୍କ ମାଆ । ଜୟଦେବ ବିହାର ଉତ୍କଳ ଭିଲ୍ଲା ଆପାର୍ଟମେଣ୍ଟ ତଳୁ ଉଦ୍ଧାର ହୋଇଥିଲା ତାଙ୍କର ମୃତଦେହ । ଅଭିଯୋଗ ହୋଇଛି, ଆପାଟମେଣ୍ଟର ୪ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ସ୍ୱମୀ କହିଛନ୍ତି, ଝିଅ ନଳୀନି ଜେଲ୍‌ ଯିବା ପରେ ଦେବକୀ ମାନସିକ ଅଶାନ୍ତିରେ ଥିଲେ ।  ଘରୁ ଜବତ ହୋଇଛି ଏକ ସୁଇସାଇଡ୍‌ ନୋଟ୍‌ । ଯେଉଁଥିରେ ଲେଖାଅଛି, ‘ମୁଁ ଜେଲ୍‌ ଯିବା ଭୟରେ ଘର ଛାଡୁଛି । ମୁଁ ଜାଣିଛି, ସେ ରେକର୍ଡିଂ କରିଛି । ଦୟାକରି ଫୋନ୍‌ କରି ମୋତେ ଖୋଜିବେ ନାହିଁ । ଦୟାକରି ଝିଅ ଜ୍ୱାଇଁକୁ ଜେଲ୍‌ରୁ ଶିଘ୍ର ଛାଡିଦେବେ । ମୋ ନାତି ଉପରେ କିଛି ପ୍ରଭାବ ପକାଇବେ ନାହିଁ । ପଢ଼ିସାରି ଚିଠିକୁ ଚିରିଦେବେ । ଜେଲ୍‌ ଯିବା ପରେ ଘରେ ଆଉ  ଟଙ୍କା ନାହିଁ । ଘରେ ଚଳିବାକୁ ଅସୁବିଧା ହେଉଛି । ମେଡିସିନ୍‌ ଖାଇବାକୁ ଅସୁବିଧା ହେଉଛି ।’ ତେବେ ଚିଠିକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।

ପୋଲିସ ସୁଇସାଇଡ୍‌ ନୋଟ୍‌କୁ ଜବତ କରି ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତ ଅନୁସାରେ, ମହିଳା ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ତେବେ  କିଛି ସନ୍ଦେହ ଥିବାରୁ ଘଟଣାକୁ ଗୁରୁତର ସହ ନେଇଛି କମିଶନରେଟ ପୋଲିସ ।

ସର୍ବଶିକ୍ଷା ଅଭିଯାନ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଓପେପା ଆକାଉଣ୍ଟସ୍‌ ନଳୀନି କୁମାରୀ ପୃଷ୍ଟିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଖୋଳତାଡ ବେଳେ ତାଙ୍କ ସ୍ୱାମୀ ତଥା ଛତ୍ରପୁର ତହସିଲଦାର୍‌ ବିଜୟ କୁମାର ସାହୁଙ୍କ ସମ୍ପୃକ୍ତି ମିଳିଥିଲା । ଦୁହେଁ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍‌ରେ । ଖୋଳତାଡ ବେଳେ ଠାବ ହୋଇଥିଲା ୭କୋଟି ଟଙ୍କାର ସମ୍ପତ୍ତି । ନଳୀନିଙ୍କ ମାଆଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ତଦନ୍ତ ବେଳେ ଭିଜିଲାନ୍ସ ସୁରାକ୍‌ ପାଇଥିଲା । ଏବେ ତାଙ୍କ ଆତ୍ମହତ୍ୟା ରହସ୍ୟକୁ ବଢ଼ାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.