ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ 

ଆସନ୍ତା ୧ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ

ପୁରୀ(କେନ୍ଯୁଜ୍) : ସାର୍ବଜନୀନ ହେବନି ବ୍ରହ୍ମ ବିଭ୍ରାଟ ରିପୋର୍ଟ । ବ୍ରହ୍ମ ପରିବର୍ତ୍ତନ ଏକ ଗୁପ୍ତ ନୀତି ଓ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏହାର ତଥ୍ୟ ସର୍ବ ସାଧାରଣରେ ପ୍ରକାଶିତ ହେବ ନାହିଁ । ରିପୋର୍ଟରେ ଆସିଥିବା ତଥ୍ୟ ଅନୁସାରେ ୧୦ ରୁ ୧୫ ଜଣ ସେବାୟତ ବିଭ୍ରାଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ୩ମାସ ମଧ୍ୟରେ ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ସହ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି ।

ଏହି ଦୋଷୀ ସେବାୟତଙ୍କ ମଧ୍ୟରେ ଦଇତାପତି ଓ ମହାରଣା ସେବକ ଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ଗତ ୨୦୧୫ ମସିହା ନବକଳେବର ସମୟରେ ଘଟ ପରିବର୍ତ୍ତନରେ ବିଭ୍ରାଟ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପୂର୍ବରୁ ଏହି ଘଟଣାରେ ୨ ଜଣ ଦଇତାପତି ନିଲମ୍ବିତ ହୋଇଥିଲେ । ପରେ ତାଙ୍କ ନିଲମ୍ବନକୁ ଉଠାଇ ଦିଆଯାଇଥିଲା ।

shree mandira

ଆସନ୍ତା ୧ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ । ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ ସିଂହଦ୍ୱାରରେ ଧାଡି ବାନ୍ଧି ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ଭିତର ବେଢାରେ ଥିବା ପାର୍ଶ୍ୱ ମନ୍ଦିର ଗୁଡିକରେ ଏହି ଧାଡି ଦର୍ଶନ ଲାଗୁ ହେବ ନାହିଁ । ସେହିପରି ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦର ଦର ତାଲିକା ସଂପୂର୍ଣ୍ଣ ଅନୁଧ୍ୟାନ କରି ଲଗାଯିବ ।

ତେବେ ଶ୍ରୀମନ୍ଦିର ସେବାୟତମାନଙ୍କ ବଂଶାନୁକ୍ରମିକ ସେବାନୀତି ସଂରକ୍ଷିତ ରଖିବା ପାଇଁ ପ୍ରଶାସନ ସୁପ୍ରିମକୋର୍ଟକୁ ନିବେଦନ କରିବେ । ସେହିପରି ଶ୍ରୀମନ୍ଦିର ଜମିଜମା ବିକ୍ରି ନେଇ ରାଜ୍ୟ ସରକାରଙ୍କ ‘ସମାନ ନୀତି’ରେ ପରିବର୍ତ୍ତନ ଅଣାଯିବା ବ୍ୟବସ୍ଥାକୁ ମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି ଓ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.