ବରଗଡ଼: ଚାଷୀଙ୍କୁ ଧୋକା, ଧାନ କିଣାରେ ହୋଇଛି ବଡ଼ ଦୁର୍ନୀତି

ବରଗଡ଼: ପୋଖରୀ, ନଦୀରେ ବି ଧାନ ଚାଷ ହୁଏ । ଆଉ ସେହି ଧାନକୁ ବିକି ଚାଷୀ ତାର ପାରିଶ୍ରମିକ ପାଏ । ଆଜ୍ଞା ହଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବରଗଡ଼ ଜିଲ୍ଲାରୁ ଆସିଛି ଏଭଳି ଏକ ତଥ୍ୟ । ସମବାୟ ସମିତି ଅଧିନରେ ଧାନ କିଣାବିକା ଘଟଣାରୁ ଜାଣିବାକୁ ମିଳିଛି ସାଂଘାତିକ ଘୋଟାଲାର ଚିତ୍ର । ଧାନ ବ୍ୟବସାୟୀ ମାନେ ଚଞ୍ଚକତା କରି ଲୁଟି ନେଇଛନ୍ତି କୋଟି କୋଟି ଟଙ୍କା । ଘଟଣାରେ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସହକାରୀ ନିବନ୍ଧକ ।

ଚାଷୀଙ୍କୁ ଧୋକା । ସମବାୟ ସମିତିରେ ମହା ଘୋଟାଲା । ଧାନ କିଣାରେ ହୋଇଛି ବଡ଼ ଧରଣର ଦୁର୍ନୀତି । ଏଭଳି ସାଂଘାତିକ ଚଞ୍ଚକତାର ଖବର ଆସିଛି ବରଗଡ଼ ଜିଲ୍ଲା ତୋରା ସେବା ସମବାୟ ସମିତିରୁ । ପୋଖରୀ, ନଦୀ, ରେଳ ଜମିକୁ ଚାଷ ଜମି ଦର୍ଶାଇ ପ୍ରସ୍ତୁତ କରାଯାଇଛି ନକଲି ଚାଷୀ ପରିଚୟପତ୍ର । ଆଉ ସେହି ଫେକ୍‌ କାର୍ଡ ଜରିଆରେ ହରିଲୁଟ୍‌ ହୋଇଛି କୋଟି କୋଟି ଟଙ୍କା । ଧାନ ବ୍ୟବସାୟୀମାନେ ଚଞ୍ଚକତା କରି ଚାଷୀଙ୍କ ନାଁରେ ମିଥ୍ୟା ତଥ୍ୟ ଦେଇ ଶହ ଶହ ସଂଖ୍ୟାରେ ନକଲି କାର୍ଡ କରି ଟଙ୍କା ହରିଲୁଟ୍‌ କରିଥିବା ଅଭିଯୋଗ ହୋଇଛି ।

ବରଗଡ଼ରେ ଧାନ ଦୁର୍ନୀତି ଘଟଣା ନୂଆ ନୁହେଁ । କିନ୍ତୁ ଏଥର ସବୁ ସୀମା ଟପି ଯାଇଛି । ଏହି ଘଟଣାର ପ୍ରଶାସନିକ ତଦନ୍ତ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସେବା ସମବାୟ ସମିତିର ସହକାରୀ ନିବନ୍ଧକ । ସେହିପରି ଦୁର୍ନୀତି ପଛରେ ବ୍ୟବସ୍ଥାଗତ ତୃଟି ରହିଥିବା କହିଛନ୍ତି ଚାଷୀ ନେତା । ଦୁର୍ନୀତି ବିରୋଧରେ କଡ଼ କାର୍ଯ୍ୟାନୁଷ୍ଠାନ ପ୍ରତି ସରକାର ଗୁରୁତ୍ୱ ଦେଇ ଆସୁଥିବା ବେଳେ ବରଗଡ଼ରେ ଧାନ କିଣା ଘୋଟାଲା ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.