ଏବେଠୁ ୨୦୨୯ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ, ମହିଳା ଭୋଟ ହାତେଇବା ପାଇଁ ମିଶନ ଶକ୍ତିକୁ ସଶକ୍ତ କରିବ ବିଜେଡି

ଭୁବନେଶ୍ବର(କେନ୍ୟୁଜ୍): ମହିଳା ବର୍ଗଙ୍କ ବିରାଟ ସମର୍ଥନ ପାଇଁ କ୍ଷେତ୍ର ପ୍ରସ୍ତୁତି । ଏବେଠାରୁ ୨୦୨୯ ପାଇଁ ଏସଏଚଜିଙ୍କୁ ନେଇ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ରାଜ୍ୟ ସରକାରଙ୍କ ପାଞ୍ଚବର୍ଷିଆ ପ୍ଲାନକୁ ଦେଖିଲେ ଏହାର ଆଭାସ ମିଳୁଛି । ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତିକରଣ ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀ ଏକ ବିରାଟ ଜନଆନ୍ଦୋଳନରେ ପରିଣତ ହୋଇଛି । ଏଥିସହ ଦିନକୁ ଦିନ ବିଜେଡିକୁ ମହିଳାଙ୍କ ଜନସମର୍ଥନ ବଢ଼ି ଚାଲିଛି। ଆଗାମୀ ୫ ବର୍ଷ ପାଇଁ ମିଶନ ଶକ୍ତି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରାଯିବ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୨୦୧୭-୧୮ରେ ଏସଏଚଜିକୁ ୧୫୨୧ କୋଟି ଟଙ୍କା ଋଣ ମିଳୁଥିବା ବେଳେ ୨୦୨୧-୨୨ରେ ମିଳିଛି ୬ ହଜାର ୮ଶହ ୩୬ କୋଟି ଟଙ୍କା। ଫଳରେ ଲକ୍ଷ ଲକ୍ଷ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିଛି।

ଆଗାମୀ ୫ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିବ ୧୨ ଶହ କୋଟି ଟଙ୍କାର ସୁଧ ରିହାତି । ସାରା ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ୫୦୦ଟି ଆଉଟଲେଟ୍‌ ଖୋଲିବ । ଗାଁ ଗାଁରେ ନିର୍ମାଣ ହେବ ମିଶନ ଶକ୍ତି ଭବନ । ଗତ ସପ୍ତାହରେ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏବେ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ସଦସ୍ୟ ଅଛନ୍ତି । ଗଠନ ହୋଇଛି ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ । ରାଜ୍ୟ ସରକାରଙ୍କ ଫୋକସରେ ଏସଏସଜି।

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପ୍ରତି ମହିଳା ଭୋଟରଙ୍କ ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳିଛି । ୨୦୧୯ରେ ବି ମହିଳାମାନେ ସମର୍ଥନ ଅଜାଡ଼ି ଦେଇଥିଲେ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ । କିନ୍ତୁ ବିଜେଡି ସରକାର ୨୦୨୯ ପାଇଁ ଏବେଠାରୁ ବଡ଼ ଗେମପ୍ଲାନ ଆରମ୍ଭ କରିଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.