କୃଷି ବିଲର ଅନୁଧ୍ୟାନ ପାଇଁ ବିଜେଡି ଗଠନ କରିବ କମିଟି, ବିଧାୟକ ଦଳ ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୃଷି ବିଲର ଅନୁଧ୍ୟାନ ପାଇଁ ବିଜେଡି ଗଠନ କରିବ କମିଟି । ସାଂସଦ, ବିଧାୟକ ଓ ବିଶିଷ୍ଟ ଚାଷୀ ନେତା କମିଟିର ସଦସ୍ୟ ରହିବେ । ସେମାନେ ବିଲର ବିଭିନ୍ନ ଦିଗକୁ ତର୍ଜମା କରିବେ । ବିଜେଡି ବିଧାୟକ ଦଳ ବୈଠକରେ ଏକଥା କହିଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଚାଷୀଙ୍କ ସ୍ୱାର୍ଥ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏମଏସପି ନେଇ ଏମ୍. ଏସ୍. ସ୍ୱାମୀନାଥନ କମିଟି କରିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ଦିଗରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ନବୀନ । ସଂସଦର ଉଭୟ ଗୃହରେ କୃଷି ବିଲକୁ ନେଇ ଉଦବେଗ ପ୍ରକାଶ କରିଥିଲା ବିଜେଡି ।
ଅନୁଧ୍ୟାନ ପାଇଁ ବିଲକୁ ପାର୍ଲାମେଣ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଥିଲା ଦଳ । ସେହିପରି ନୂଆ ଶିକ୍ଷା ନୀତି ଉପରେ ବି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଆମ ମାତୃଭାଷାର ପ୍ରଚାର ପ୍ରସାର କରିବା ଦିଗକୁ ଗୁରୁତ୍ୱ ଦିଆଯିବ । ନୂଆ ଶିକ୍ଷା ନୀତି ଦ୍ୱାରା ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ କିଭଳି ପ୍ରଭାବିତ ହେବେ ସେଦିଗକୁ ଧ୍ୟାନ ଦିଆଯିବ । ଏଥିପାଇଁ କମିଟି ଗଠନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କୋଭିଡ୍ ଯୋଗୁ ଦେଶର ଅଭିବୃଦ୍ଧି ମାଇନସ୍ ୨୩ ପ୍ରତିଶତ କମିଛି । କଠିନ ପରିସ୍ଥିତି ଦେଇ ଦେଶ ଗତି କରୁଛି । ଓଡ଼ିଶା ସୁସ୍ଥତା ହାର ଅଧିକ ରହିଥିବା ବେଳେ ମୃତ୍ୟୁସଂଖ୍ୟା କମ ରହିଛି ବୋଲି କହିଛନ୍ତି ନବୀନ ।