ଦୋକାନ ଆଗରେ ପାର୍କିଂ ନାହିଁ ତ କେବଳ ପାର୍ସଲ ଦେଇ ପାରିବେ ଫୁଟପାଥ୍ ଓ ଡ୍ରେନ ଉପରେ ଥିବା ଖାଦ୍ୟ ଦୋକାନୀ

ଭୁବନେଶ୍ୱର (କେନ୍ୟୁଜ): ବୋଧହୁଏ ଯଦି ଦେଖାଯିବ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ ଅଧିକ ଉଠା ଦୋକାନୀ ରହିଥିବେ । ଗଳିକନ୍ଦିରେ ଯେଉଁଠି ଦେଖିବ ସେଠି ରାସ୍ତାକଡ଼ରେ ଫାଷ୍ଟଫୁଡ୍‌ ଅବା ଚଟପଟି ଖାଦ୍ୟ ପସରା ମେଲିଛି । ଆଉ ସନ୍ଧ୍ୟା ହେଲେ ଏସବୁ ଦୋକାନ ଆଗରେ ଖାଦ୍ୟ ସୌଖିନ ଲୋକଙ୍କ ଭିଡ଼ ଲାଗିଯାଏ । ସେମାନେ ଖାଇବାରେ ଏମିତି ମଜ୍ଜି ଯାଆନ୍ତି ଯେ ଭୁଲି ଯାଆନ୍ତି କି ରାସ୍ତା କଡ଼ରେ ସେମାନଙ୍କ ଗାଡ଼ି ସବୁ ପାର୍କିଂ ରହି କେତେ ସମସ୍ୟା ସୃଷ୍ଟି କରୁଛି । ଦୁଇ ଲେନ୍‌ ହେଉ ଅବା ଗୋଟିଏ ଲେନ୍‌, ରାସ୍ତା କଡ଼ରେ ଦୁଇ ଚକିଆରୁ ଆରମ୍ଭ କରି ଚାରି ଚକିଆ ଗାଡ଼ି ଠିଆ କରି ଲୋକେ ଗପାଗପ୍‌ ଖାଇ ଚାଲିଥିବେ । ଭୁଲି ଯିବେ କି ଟ୍ରାଫିକ୍‌କୁ ନେଇ ସେମାନଙ୍କର ବି କିଛି ଦାୟିତ୍ୱ ରହିଛି । ଏପଟେ ରାସ୍ତାକଡ଼ ଦୋକାନୀ ମଧ୍ୟ ନିଜ ବେପାରରେ ବ୍ୟସ୍ତ ରହି ଏସବୁ କଥାକୁ ଧ୍ୟାନ ଦିଅନ୍ତି ନାହିଁ । ଯାହାର ଫଳ ଭୋଗନ୍ତି ସେହି ବାଟ ଦେଇ ଯାଉଥିବା ଲୋକେ । ବେଳେ ବେଳେ ଏମିତି ପରିସ୍ଥିତି ହୁଏ ଯେ ସେଠାରେ ଖାଉଥିବା ଲୋକେ ପୂରା ରାସ୍ତା ମାଡ଼ି ବସନ୍ତି ଆଉ ଯିବା ଆସିବା କରୁଥିବା ଲୋକେ ଗାଡ଼ି ହର୍ଣ୍ଣ ବଜାଇ ସତର୍କ କରିଥାନ୍ତି ।

ତେବେ ଡେରିରେ ହେଉ ପଛେ ଭୁବନେଶ୍ୱର ମହାନଗର ନିଗମ ଏହି ସମସ୍ୟା ପ୍ରତି କଡ଼ା ନଜର ଦେଇଛି । ଏହି ରାସ୍ତାକଡ଼ ଖାଦ୍ୟ ଦୋକାନୀଙ୍କ ପାଇଁ ବିଏମସିର ନୂଆ କଟକଣା ଜାରି କରିଛି। ଏଣିକି ପାର୍କିଂ ନଥିଲେ ଫୁଟପାଥ୍ ଓ ଡ୍ରେନ ଉପରେ କୌଣସି ଫୁଡ୍ ଆଉଟଲେଟ୍ ରହିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି। ଗ୍ରାହକଙ୍କ ଗାଡ଼ି ରଖିବା ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିଲେ ଖାଦ୍ୟ ବିକ୍ରି କରି ପାରିବେନି ଦୋକାନୀ । ଅବଶ୍ୟ ଏଭଳି ପରିସ୍ଥିତିରେ ଏହି ଦୋକାନୀମାନଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ନାହିଁ । ସେଠାରେ ଲୋକଙ୍କୁ କିମ୍ବା ସେମାନଙ୍କ ଗାଡ଼ିକୁ ଠିଆ ନକରାଇ ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ ବୋଲି ବିଏମ୍‌ସି ନିଷ୍ପତ୍ତି ନେଇଛି।

ଆହୁରି ମଧ୍ୟ ଖାଇବା ବିକୁଥିବା ଦୋକାନୀଙ୍କୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ହେବ । ଦୋକାନରେ କାମ କରୁଥିବା ବ୍ୟକ୍ତି ପରିଷ୍କାର ପୋଷାକ ପିନ୍ଧିବା ସହ ସଫା ଆପ୍ରନ୍, ହ୍ୟାଣ୍ଡ ଗ୍ଲୋବସ୍, ଫେସ୍ ମାସ୍କ ଆଦି ପିନ୍ଧିବେ । ସୁସ୍ଥ ଓ ସ୍ୱଚ୍ଛ ପରିବେଶରେ ଗ୍ରାହକଙ୍କୁ ଖାଦ୍ୟ ପରଷିବେ । ଏହାସହ ଦୋକାନୀ ଖାଦ୍ୟ ସୁରକ୍ଷା ନିୟମକୁ ପାଳନ କରିବେ । ନୋ ଭେଣ୍ଡିଂ ଜୋନ୍ରେ ଖାଦ୍ୟ ଦୋକାନ ରହି ପାରିବ ନାହିଁ ବୋଲି କୁହାଯାଇଛି।

କରୋନାର ଦୁଇ ବର୍ଷ ପରେ ଅନେକ ବିଳମ୍ବ ହେଉ ପଛେ ବିଏମ୍‌ସିର ଏହି ବ୍ୟବସ୍ଥା ନିଶ୍ଚିତ ଭାବେ ଉଭୟ ଖାଦ୍ୟ ଦୋକାନୀଙ୍କ କାରବାର ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବ । ହେଲେ ଖାଲି ନିର୍ଦ୍ଦେଶ ଜାରି କଲେ ହେବ ନାହିଁ, ତା ସହିତ ଏହା ପାଳନ ହେଉଛି କି ନାହିଁ ତା ଉପରେ ମଧ୍ୟ ଦୃଷ୍ଟି ରଖିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.