ବାର୍‌ହା ଶିକାର ପାଇଁ ବିଲରେ ରଖାଯାଇଥିବା ବୋମାକୁ ଖାଇଦେଲା ଗାଈ, ପାଟି ଭିତରେ ହେଲା ବିସ୍ଫୋରଣ

ବ୍ରହ୍ମପୁର: ଗାଈ ପାଟିରେ ଫୁଟିଲା ବୋମା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କେନ୍ଦୁପାଟ ଗାଁରେ ଘଟିଛି ଅଘଟଣ। ବାର୍‌ହା ଶିକାର ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମାକୁ ଗାଈ ଖାଇଦେବାରୁ ପାଟିରେ ବିସ୍ଫୋରଣ ହୋଇଛି। ଗାଈର ଅବସ୍ଥା ଗୁରୁତର ରହିଛି। କେନ୍ଦୁପାଟ ଗାଁରେ କିଛି ଦୁର୍ବୃତ୍ତ ନିୟମିତ ଭାବେ ବାର୍‌ହା ଶିକାର କରିଆସୁଥିବା ଅଭିଯୋଗ ହୋଇଛି। ସେମାନେ ବିଲ ମଧ୍ୟରେ ବୋମା ରଖିଥାନ୍ତି । ବାରହା ତାକୁ ଖାଇ ମୃତ୍ୟୁ ବରଣ କରନ୍ତି । ବେଳେ ବେଳେ ଗାଈଗୋରୁ ମଧ୍ୟ ବିଲରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ମୃତ୍ୟୁବରଣ କରିଥିବା ନଜିର ରହିଛି।

ତେବେ କେନ୍ଦୁପାଟ ଗାଁ ସୁଦୁରୁ ରାଉତଙ୍କ ଗାଈ ରବିବାର ଦିନ ବାହାରକୁ ଚରିବାକୁ ଯାଇ ଘରକୁ ଫେରି ନଥିଲା। ଆଜି ସକାଳୁ ଖୋଜାଖୋଜି ପରେ ଦିନ ୧୦ ଟାରେ ଗାଁର ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି।ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ମୁହଁର ତଳ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି। ଏ ନେଇ ସୁଦୁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ।ଏତଲା ପାଇ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ କେନ୍ଦୁପାଟ ଗ୍ରାମକୁ ଯାଇ ତଦନ୍ତ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.