ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଦୁର୍ନୀତି ଓ ଅପାରଗତା ଯୋଗୁଁ ଜଣେ ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ। ଦୁର୍ନୀତି ଓ ଅପାରଗତା ଯୋଗୁଁ ଜଣେ ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ତାଲିକାରେ ଅଛନ୍ତି ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍‌ପି, ଜଣେ ଡେପୁଟି କମାଣ୍ଡାଣ୍ଟ, ୨ଜଣ ଖଣି ଅଧିକାରୀ ଓ ଜଣେ ସିଡିପିଓ। ଜେଲ ବିଭାଗର ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କୁ ବିଦା କରାଯାଇଛି। ଜେଲ ୱାର୍ଡର ଚୟନ କମିଟିର ମୁଖ୍ୟ ଭାବରେ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା। ଜେଲ ବିଭାଗରେ ତାଙ୍କର କାର୍ଯ୍ୟ ସନ୍ତୋଷଜନକ ନଥିଲା।

ଓଡିଶା ସଶସ୍ତ୍ର ପୋଲିସ ସେବାରେ କମାଣ୍ଡାଣ୍ଟ ଥିବା ଏକାନ୍ତ ପ୍ରିୟ ନାୟକଙ୍କୁ ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗ ରହିଥିଲା। ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା। ଡିଏସପି ଗୌତମ ମଲ୍ଲିକଙ୍କୁ ମଧ୍ୟ ବିଦା କରାଯାଇଛି। ତାଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ଦେବେନ୍ଦ୍ର ନାଥ ବେହେରାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି।

କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍‌ ରହିଛି। ଦାୟିତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କୁ ବିଦା କରାଯାଇଛି। କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ଚାକିରିରୁ ବିଦା କରାଯାଇଛି। ତାଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍ସ କେସ୍‌ ରହିଛି। କୋରାପୁଟ ନନ୍ଦପୁରର ସିଡିପିଓ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି। ତାଙ୍କ ନାଁରେ ଦୁଇଟି ଭିଜିଲାନ୍ସ କେସ୍‌ କରାଯାଇଛି। ୨୦୧୬ରେ ୮୦ ଲକ୍ଷ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍‌ ପାଇଁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଇ ନିଲମ୍ବିତ ହୋଇଥିଲେ।

ଏହି ବାଧ୍ୟତାମୂଳକ ଅବସର ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି।

You might also like