ପ୍ରକୃତି କୋଳରେ ଶୋଭା ପାଉଛି କୃଷ୍ଣଚୂଡ଼ା, ନାଲି ରଙ୍ଗରେ ସଜେଇ ହୋଇଛି ଧରଣୀ ରାଣୀ

କଣ୍ଟାମାଳ(କେନ୍ୟୁଜ): କୃଷ୍ଣଚୂଡ଼ାର ନାଲି ରଙ୍ଗରେ ବେଶ ଶୋଭାପାଉଛି ପ୍ରକୃତି । ଗ୍ରୀଷ୍ମର ତାତି ସହ ସୂର୍ଯ୍ୟର ପ୍ରଖର କିରଣରେ ଝଟକୁଛି କୃଷ୍ଣଚୂଡ଼ା । କୃଷ୍ଣଚୂଡ଼ାର ରଙ୍ଗରେ ରଙ୍ଗୀନ ହୋଇଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଘାଟ ଓ ଜାତୀୟ ରାଜପଥ । ଯାହା କବି ଓ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା ।

ଉତ୍ତପ୍ତ ବୈଶାଖରେ ତାର ଜନ୍ମ । ସେଇ ବୈଶାଖରେ ତରୁଣ ହୁଏ । ପ୍ରେମ କରେ ନିଦାଘକୁ । ଗାଁ ରାସ୍ତାରୁ ସହରର ଜାତୀୟ ରାଜପଥ ତା ଅକ୍ତିଆରରେ ଥାଏ ପ୍ରଚଣ୍ଡ ଗ୍ରୀଷ୍ମର ତାତି । ତାର ରକ୍ତିମ ଆଭା ବିମୋହିତ କରେ ସମସ୍ତଙ୍କୁ, ସତେ ଯେମିତି ତୃଷ୍ଣା ମେଣ୍ଟି ଯାଉଛି । ଏହି କୃଷ୍ଣଚୂଡାକୁ ନେଇ କାହାର କେତେ କଳ୍ପନା । କବିର ମନ ହୁଏ ଆନମନା ।

ବୈଶାଖର ତାତିରେ କୃଷ୍ଣଚୂଡ଼ା ଆହୁରି ଲାଲ ହୋଇ ଡହ ଡହ ବିଛାଡ଼ି ଦେଉଛି ତାର ସୌନ୍ଦର୍ଯ୍ୟ । ତା ରୂପରେ ବିମୋହିତ କରିଦେଉଛି ଏ ଜଗତକୁ । ଦିନ ବଢିବା ସହ ଖରାରେ ଖିଲିଖିଲି ହସୁଛି କୃଷ୍ଣଚୂଡ଼ା । ପ୍ରଚଣ୍ଡ ଖରାରେ କୃଷ୍ଣଚୂଡ଼ା ଆସିଛି ନାଲି ଟୁକଟୁକ ସାଧବ ବୋହୂ ହୋଇ । ଅନ୍ୟଫୁଲ ଭଳି ତା ଭାଗ୍ୟରେ ଦିଅଁ ଦେଉଳ ନାହିଁ ତାକୁ କେହି ମନ୍ଦିର ନିଅନ୍ତି ନାହିଁ କିନ୍ତୁ ଆଶ୍ଚର୍ଯ୍ୟ କଥା ତା ନାଁ ସହ ଈଶ୍ୱରଙ୍କ ନାଁ ଯୋଡି ଦିଆଯାଇଛି । ସେହିପରି ଓଡ଼ିଆ ସାହିତ୍ୟରେ ଅନେକ କାବ୍ୟ କବିତା ରଚନା କରାଯାଇଛି । ଅନେକ ଗୀତ ଲେଖା ଯାଇଛି । ବାସ୍ତବିକ ପ୍ରକୃତିର ଏକ ଅନନ୍ୟ ଉପହାର ଏହି କୃଷ୍ଣଚୂଡ଼ା ।

ସତରେ ଖୁବ ସୁନ୍ଦର ଏହି କୃଷ୍ଣଚୂଡ଼ା । ଯାହାର ଲାଲ ରଙ୍ଗର ସୌନ୍ଦର୍ଯ୍ୟ କବି ଓ ପ୍ରକୃତି ପ୍ରେମୀକୁ ବିମୋହିତ କରେ ।

 

Leave A Reply

Your email address will not be published.