ଓଡିଶା ହାଇକୋର୍ଟର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ନାମ, ନେଇଛନ୍ତି ବହୁ ଐତିହାସିକ ନିଷ୍ପତ୍ତି

ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର କହିଥିଲେ, ମୋତେ ମାଇଁ ଲର୍ଡ଼ ବା ୟୋର ଅନର ବୋଲି ନ ଡାକି କେବଳ ସାର ବୋଲି ଡାକନ୍ତୁ। ଓଡିଶା ହାଇକୋର୍ଟର ୩୨ ତମ ମୁଖ୍ୟ ବିଚାରପତି ଭାବେ ୨୦୨୧ ଜାନୁଆରୀ ୪ ତାରିଖରେ ସେ ଶପଥ ଗ୍ରହଣ କରିଥିଲେ।

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଆଜି ଅଵସର ନେଇଛନ୍ତି। ଦୀର୍ଘ ୩୧ ମାସ ମଧ୍ୟରେ ଓଡିଶା ହାଇକୋର୍ଟରେ ସେ ଆଣିଥିବା ପରିବର୍ତ୍ତନ ପାଇଁ ଓଡିଶା ହାଇକୋର୍ଟର ଇତିହାସରେ ତାଙ୍କର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେ କହିଥିଲେ, ମୋତେ ମାଇଁ ଲର୍ଡ଼ ବା ୟୋର ଅନର ବୋଲି ନ ଡାକି କେବଳ ସାର ବୋଲି ଡାକନ୍ତୁ। ଓଡିଶା ହାଇକୋର୍ଟର ୩୨ ତମ ମୁଖ୍ୟ ବିଚାରପତି ଭାବେ ୨୦୨୧ ଜାନୁଆରୀ ୪ ତାରିଖରେ ସେ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ ମୁରଲୀଧରଙ୍କ ସମୟରେ ଓଡିଶା ହାଇକୋର୍ଟ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ମୁଖ୍ୟ ବିଚାରପତିଙ୍କ କୋର୍ଟକୁ କାଗଜ ବିହୀନ କୋର୍ଟ ସେ କରିଥିଲେ। ସାରା ଦେଶରେ ଏହା ରେକର୍ଡ। ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସେ ପେପର ଲେସ କୋର୍ଟ କରିଥିଲେ। ୨୦୨୧ ଏପ୍ରିଲ ୫ ତାରିଖରେ ସେ ଇ ଫାଇଲିଙ୍ଗ ୱେବ ପୋର୍ଟାଲ ଆରମ୍ଭ କରିଥିଲେ। ସେହିଭଳି କୋର୍ଟ ଶୁଣାଣିର ଲାଇଭ ଷ୍ଟ୍ରିମିଙ୍ଗ ୨୦୨୧ ଅଗଷ୍ଟ ୨ ରୁ ଆରମ୍ଭ ହୋଇଥିଲା। କୋଭିଡ ସମୟରେ ହାଇବ୍ରିଡ଼ ମୋଡ଼ରେ ଭର୍ଚୁଆଲ କୋର୍ଟ କାର୍ଯ୍ୟ ସଫଳ ଭାବେ ପରିଚାଳନା କରିବାରେ ଜଷ୍ଟିସ ମୁରଲୀଧରଙ୍କର ଢେର ଅବଦାନ ରହିଛି।

ଏକ ଶହ ଦୁଇ ଶହ ବର୍ଷର ପୁରୁଣା ରେକର୍ଡକୁ ଡିଜିଟାଲାଇଜେସନ କରିବାରେ ସେ ସମର୍ଥ ହୋଇଛନ୍ତି। ଓଡିଶା ହାଇକୋର୍ଟରେ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ ଓ ମ୍ୟୁଜିୟମ ଅଫ ଜଷ୍ଟିସ ପ୍ରତିଷ୍ଠା କରି ସେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଜଷ୍ଟିସ ମୁରଲୀଧର ୧୯୮୪ ମସିହାରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମଧ୍ୟ ପ୍ରାକ୍ଟିସ କରିଥିଲେ। ୨୦୦୬ ମେ ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୦ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିବା ବେଳେ ତାଙ୍କର ପଞ୍ଜାବ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲା।

୨୦୨୦ ମାର୍ଚ୍ଚ ୬ ରୁ ୨୦୨୧ ଜାନୁଆରୀ ୩ ତାରିଖ ଯାଏଁ ପଞ୍ଜାବ ହରିୟାଣା ହାଇକୋର୍ଟରେ ସେ ବିଚାରପତି ଥିଲେ। ଏହାପରେ ସେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ଭୋପାଳ ଗ୍ୟାସ ପୀଡିତଙ୍କ ମାମଲା ଓ ନର୍ମଦା ଡ୍ୟାମ ବିସ୍ଥାପିତଙ୍କ ମାମଲା ପରିଚାଳନା କରି ସେ ବେଶ ସୁନାମ ପାଇଥିଲେ। ଓଡିଶା ହାଇକୋର୍ଟ ସମେତ ଦିଲ୍ଲୀ ହାଇକୋର୍ଟ ଓ ପଞ୍ଜାବ ହରିୟାଣା ହାଇକୋର୍ଟରେ ତାଙ୍କର ବହୁ ରିପୋଟିଂ ଜଜମେଣ୍ଟ ରହିଛି, ଯାହାକି ଭାରତର ନ୍ୟାୟପାଳିକା ପାଇଁ ତାଙ୍କର ବୃହତ ଅବଦାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.