କିଟ୍ ଓ କିସ୍ କର୍ମଚାରୀଙ୍କ ପିଲାଙ୍କ ପାଇଁ ସେଫାଳୀ କ୍ରେଚ୍ ସେଣ୍ଟର ପ୍ରତିଷ୍ଠା, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କିଟ୍ ଓ କିସ ପକ୍ଷରୁ କର୍ମଚାରୀଙ୍କ ପିଲାଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ଶେଫାଳୀ କ୍ରେଚ୍ ସେଣ୍ଟର, କିଟ୍ ପବ୍ଲିକ ସ୍କୁଲ୍ ଓ ସର୍ବସାଧାରଣଙ୍କ ପାଇଁ ଜୟନ୍ତ ମହାପାତ୍ର ପବ୍ଲିକ୍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍ ସୋଭିନିର୍ ଗ୍ୟାଲେରୀକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର (କେନ୍ୟୁଜ): କିଟ୍ ଓ କିସ ପକ୍ଷରୁ କର୍ମଚାରୀଙ୍କ ପିଲାଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ଶେଫାଳୀ କ୍ରେଚ୍ ସେଣ୍ଟର, କିଟ୍ ପବ୍ଲିକ ସ୍କୁଲ୍ ଓ ସର୍ବସାଧାରଣଙ୍କ ପାଇଁ ଜୟନ୍ତ ମହାପାତ୍ର ପବ୍ଲିକ୍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍ ସୋଭିନିର୍ ଗ୍ୟାଲେରୀକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସର୍ବଦା କିଟ୍ ଓ କିସ୍ର କର୍ମଚାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସୁଛନ୍ତି । ତାଙ୍କ ପ୍ରୟାସରେ କିଟ୍ ଓ କିସ୍ କର୍ମଚାରୀମାନେ କିଭଳି ଖୁସିରେ ରହିବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ ।

ଏହି କ୍ରମରେ କିଟ୍ ଓ କିସର ସ୍ୱଳ୍ପ ବେତନୀଭୋଗୀ କର୍ମଚାରୀ ଯେଉଁମାନେ ମାସିକ ୩୦ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି ସେମାନଙ୍କ ପିଲାମାନଙ୍କ ପାଇଁ ସିବିଏସ୍ଇ ସ୍ୱୀକୃତିପ୍ରାପ୍ତ କିଟ୍ ପବ୍ଲିକ୍ ସ୍କୁଲ୍ ପ୍ରତିଷ୍ଠା କରାଯାଇଛି । ଏଠାରେ ସ୍ୱଳ୍ପ ଦେୟରେ କର୍ମଚାରୀଙ୍କ ପିଲାମାନେ ପାଠ ପଢ଼ିପାରିବେ । ସେହିପରି କର୍ମଚାରୀଙ୍କ ଶିଶୁଙ୍କ ପାଇଁ ସେଫାଳୀ କ୍ରେଚ୍ ସେଣ୍ଟର ଖୋଲାଯାଇଛି । ଅନ୍ୟପକ୍ଷରେ କିଟ୍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ସର୍ବସାଧାରଣଙ୍କ ନିମନ୍ତେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥାଏ । କିଟ୍ ଗୁଣ୍ଡିଚା ମନ୍ଦିର ନିକଟରେ ସର୍ବସାଧାରଣଙ୍କ ନିମନ୍ତେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ନାମରେ ନାମିତ ଏକ ବୃହତ ଶୀତତାପ ନିୟନ୍ତ୍ରିତ ସର୍ବସାଧାରଣ ପାଠାଗାର ଖୋଲାଯାଇଛି ।

କିମ୍ସକୁ ଆସୁଥିବା ରୋଗୀମାନଙ୍କ ସହାୟକ ଓ ସର୍ବସାଧରଣକୁ ରିହାତି ମୂଲ୍ୟରେ ପ୍ରସାଦ ଯୋଗାଇଦେବା ନିମନ୍ତେ କିଟ୍ ଜଗନ୍ନାଥ ମନ୍ଦିର ପକ୍ଷରୁ ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର ଖୋଲାଯାଇଛି । ଏହି ପ୍ରସାଦ ସେବନ କେନ୍ଦ୍ରରେ ମାତ୍ର ୩୦ଟଙ୍କାରେ ଯେକେହି ପ୍ରସାଦ ସେବନ କରିପାରିବେ । କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ଓ କିଟ୍ ଓ କିସକୁ ପରିଦର୍ଶନରେ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ବିଶ୍ୱର ବିଭିନ୍ନ ସ୍ଥାନର ସଂସ୍କୃତି ବିଶେଷକରି ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ, କିଟ୍ ବିଶ୍ୱବିଦ୍ୟାଳୟ ବ୍ରାଣ୍ଡର ବିଭିନ୍ନ ପ୍ରକାର ପୋଷାକପତ୍ରକୁ ନେଇ କିଟ୍ ସୋଭିନିର୍ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.