ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଲେ ମୁଖ୍ୟମନ୍ତ୍ରୀ, ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି

କେନ୍ୟୁଜ୍ (ବ୍ୟୁରୋ): ଆହୁରି ସୁଦୃଢ଼ ହେବ ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ଏସଏଚଜିମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି ।

ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କନଭେନସନ ସେଣ୍ଟରରେ ଉପସ୍ଥିତ ମାଆ ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକରେ ଭିଡିଓ କନଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ମାଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାଆମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମାଆମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର । ଆଗାମୀ ଦିନରେ ମାଆମାନେ ଆହୁରି ବଡ଼ ବଡ଼ ନିଷ୍ପତ୍ତି ନେବେ ଓ ଓଡ଼ିଶାର ରୂପାନ୍ତରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ଵାସ ପ୍ରକଟ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମାଆମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମାଆମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡ଼ିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ସେ କହିଥିଲେ । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନଫରେନ୍‌ସିଂ ଜରିଆରେ ଉଦ୍‌ଘାଟନନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ କହିଲେ ଯେ ଆଗରୁ ସୁଧ ରିହାତି ପାଇବା ପାଇଁ ମାଆମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ । ଏବେ ୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମାଆମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ମାଆମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ । ମାଆମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.