ରଖେ ହରି ତ ମାରେ କିଏ: ଦୁଇ କାନ୍ଥ ମଝିରେ ଫସିଯାଇଥିବା ଶିଶୁକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

ଚୌଦ୍ୱାର(କେନ୍ୟୁଜ୍): ଚୌଦ୍ୱାର ତଳବଜାର ଠାରେ ଛାତ ଉପରେ ଖେଳୁଥିବା ସମୟରେ ଦୁଇ କାନ୍ଥ ମଧ୍ୟରେ ଖସି ପଡିଲା ଜଣେ ଶିଶୁ । ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳବାସୀ ଓ ଅଗ୍ନିଶମ ବାହିନୀର ଉଦ୍ୟମ ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯିବା ପରେ ଶିଶୁଟି ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୪ଟା ସମୟରେ ତଳ ବଜାର ଅଞ୍ଚଳର ଅମରେଶ ସାହୁଙ୍କ ପତ୍ନୀ ଅଢେଇ ବର୍ଷର ଶିଶୁ କନ୍ୟାକୁ ନେଇ ଛାତ ଉପରେ ଖେଳାଉଥିଲେ । ସେତେକି ବେଳେ ତାଙ୍କ ନିକଟକୁ ଏକ ଫୋନ କଲ ଆସିବାରୁ ସେ ଫୋନରେ ବ୍ୟସ୍ତ ରହିଥିବା ସମୟରେ ଶିଶୁ କନ୍ୟାଟି ମୁକୁଳା କୋଠାରୁ ଖସି ଯାଇଥିଲା । ତେବେ ମୁକୁଳା କୋଠା କଡ଼ରେ ଦୁଇ କାନ୍ଥ ମଧ୍ୟରେ ଥିବା ୬ ଇଞ୍ଚ ଫାଙ୍କରେ ଶିଶୁକନ୍ୟାଟି ୧୫ଫୁଟ ତଳେ ଫସି ଯାଇଥିଲା ।

ଝିଅ ଖସିପଡ଼ିବା ଦେଖି ମା’ ଚିତ୍କାର କରି କାନ୍ଦିବା ଦ୍ବାରା  ନିକଟରେ ଥିବା ଲୋକେ ପାଟି ଶୁଣି ଧାଇଁ ଯାଇଥିଲେ । ଏବଂ ଶିଶୁଟି ଫସି ରହିଥିବା ଜାଣିବା ପରେ ଏହାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଞ୍ଚଳବାସୀ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ ।  ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଶିଶୁଟିକୁ ନିକଟସ୍ଥ ଡାକ୍ତରଖାନାରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ପରିବାର ଲୋକଙ୍କ ଅସାବଧାନତା ଯୋଗୁଁ ଶିଶୁଟି ଖସିପଡ଼ିଥିବା ଅଞ୍ଚଳବାସୀ କହିଥିବାବେଳେ ନିଶ୍ଚିତ ଅଘଟଣରୁ ଶିଶୁଟି ବର୍ତ୍ତି ଯାଇଥିବାରୁ ପରିବାର ସହ ଅଞ୍ଚଳବାସୀ ମଧ୍ୟ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.