ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କୁ ନାଗରିକ ସମାଜ ପକ୍ଷରୁ ସମ୍ବର୍ଦ୍ଧନା: ନିଜ ମାଟିରେ ସମ୍ବର୍ଦ୍ଧିତ ହୋଇ ଭାବବିହ୍ଵଳ ହେଲେ ମହାମହିମ

ଭୁବନେଶ୍ବର(କେନ୍ୟୁଜ୍): ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମାଜ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାବବିହ୍ଵଳ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜ ମାଟିରେ ସମ୍ବର୍ଦ୍ଧିତ ହୋଇ ଖୁସି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ନିଜ ମାଟିର ନିଆରା ଆକର୍ଷଣ ରହିଛି ବୋଲି ସେ କହିଛନ୍ତି। ନିଜ ମାଟିର ମୋହରେ ଭିନ୍ନତା ରହିଛି। ନିଜ ମାଟି ଓଡ଼ିଶାକୁ ଆସି ଆଜି ଆନନ୍ଦିତ ବୋଲି କହିଛନ୍ତି ମହାମହିମ। ଭବ୍ୟ ଉତ୍ସବର ଆୟୋଜନ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାବାସୀଙ୍କର ନୁହନ୍ତି, ସେ ଭାରତ ଓ ବିଶ୍ଵବାସୀଙ୍କର ଆରାଧ୍ୟ। ତେଣୁ ବିଶ୍ଵର କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ବୋଲି କହିଛନ୍ତି। ଏହାସହ ପୁରୀରେ ଏଏସ୍‌ଆଇର ଅଫିସ ଖୋଲାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ରାଷ୍ଟ୍ରପତି। ଗୌରବମୟ ଉତ୍କଳର ସ୍ମୃତିଚାରଣ କରି ଦୟାନଦୀ କୂଳରେ ଘଟିଥିବା ରକ୍ତପାତ ଘଟଣା, ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ଓ ଓଡ଼ିଶାର ନେବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ। ଭାଷାଭିତ୍ତିକ ଭାବେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ପାଇକ ବିଦ୍ରୋହରେ ଓଡ଼ିଶା ସାମିଲ ହୋଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।

ଭାରତର ଭାସ୍କର୍ଯ୍ୟକୁ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ। ଓଡ଼ିଶା ଆଉ ୧୪ ବର୍ଷ ପରେ ଶତବାର୍ଷିକ ପାଳନ କରିବ। ତେଣୁ ଏହି ସମୟ ଗୁରୁତ୍ୱବପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନାଗରିକ ସମାଜ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.