ଆଜିଠୁ ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍ ଡ୍ରିଲ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୩ ଦିନ ଧରି ଚାଲିବ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

ଭୁବନେଶ୍ୱର: ଓଡ଼ିଶାରେ ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକ୍ ଡ୍ରିଲ୍ । ଭୁବନେଶ୍ୱରରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଏକ୍ସରସାଇଜ୍‌ରେ ଏକାଠି ହୋଇଛନ୍ତି ଭାରତ ସେମତ ବିମଷ୍ଟେକ୍ ରାଷ୍ଟ୍ର ସମୂହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ୍‌ର ପ୍ରତିନିଧି । ୩ ଦିନ ଧରି ଚାଲିବ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ । ଏଥର ବିଷୟ ବିଶ୍ୱ ଐତିହ୍ୟ ସ୍ଥଳର ସୁରକ୍ଷା । ଆଜି ପ୍ରଥମେ ଭୁବନେଶ୍ୱରରେ ଏକ୍ସରସାଇଜ୍ ଆରମ୍ଭ ହୋଇଛି। ବାକି ଦୁଇ ଦିନ ପୁରୀ ରାମଚଣ୍ଡୀରେ ହେବ ଏକ୍ସରସାଇଜ୍ । ଫନି ବାତ୍ୟାର ଅଭିଜ୍ଞତାକୁ ନେଇ ନ୍ୟାସ୍‌ନାଲ୍ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି ପକ୍ଷରୁ ମକ୍‌ଡ୍ରିଲ କରାଯିବ ।

ଭୁବନେଶ୍ୱର ଓ ପୁରୀଠାରେ ହେଉଥିବା ଏହି ଅଭ୍ୟାସର ବିଷୟ ରହିଛି ‘ଭୂମିକମ୍ପ ଓ ବନ୍ୟା ତଥା ବାତ୍ୟା ଦ୍ୱାରା ଭୀଷଣ କ୍ଷତିଗ୍ରସ୍ତ ହେଉଥିବା ଐତିହ୍ୟସ୍ଥଳୀର ସୁରକ୍ଷା’ । ୩ ଦିନ ବ୍ୟାପୀ ହେବାକୁ ଥିବା ବିମ୍ଷ୍ଟେକ୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ । କ୍ଷତିଗ୍ରସ୍ତ ଅଟ୍ଟାଳିକା ଉପରେ ଟେବୁଲ୍ ଟପ୍ ଅଭ୍ୟାସ, ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ରାମଚଣ୍ଡୀ ତଟରେ ଫେବୃଆରୀ ୧୨ ତାରିଖରେ ଐତିହ୍ୟସ୍ଥଳୀର ସୁରକ୍ଷା ଉପରେ ଅଭ୍ୟାସ ତଥା ଫେବୃଆରୀ ୧୩ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଅନୁଶୀଳନ, ସଭ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ନୀତି ନିର୍ଦ୍ଧାରଣ ଆଲୋଚନା ଆଦି ସାମିଲ ହେବ ।
ବନ୍ୟା, ବାତ୍ୟା ଓ ଭୂମିକମ୍ପ ସମୟରେ ବିଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବ । ପୁନଶ୍ଚ ବିପର୍ଯ୍ୟୟ ସମୟରେ ଏହି ଅଭ୍ୟାସ ଫଳରେ ଜାତୀୟ,ଅନ୍ତର୍ଜାତୀୟ,ପ୍ରାଦେଶିକ, ଜିଲ୍ଲା ଓ ସ୍ଥାନୀୟ ସଂସ୍ଥାମାନଙ୍କୁ ସାମିଲ କରି ସମନ୍ୱୟ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିବ ।
ଏହି ଉଦ୍ଦେଶ୍ୟରେ ପୁରୀ ରାମଚଣ୍ଡୀଠାରେ ଏକ ଅଭ୍ୟାସ ଗ୍ରାମ ସ୍ଥାପନ କରାଯାଇଛି । ଯେଉଁଠାରେ ଐତିହ୍ୟ କ୍ଷୟକ୍ଷତି
ସ୍ଥଳକୁ ବିଶେଷ ଧ୍ୟାନ ଦେବା ସହିତ ସେଠାରେ କିପରି ଜଳୀୟ, ବିପର୍ଯ୍ୟୟର ମୁକାବିଲା କରିହେବ ତାହାର ମଧ୍ୟ ଅଭ୍ୟାସ
କରାଯିବ । ଏହି ଅଭ୍ୟାସ, ବିପର୍ଯ୍ୟୟ ସମୟର ଏକ ବାସ୍ତବିକ ରୂପରେଖ ପ୍ରଦାନ କରିବ, ଯାହା ଦ୍ୱାରା ସଠିକ୍ ବିପର୍ଯ୍ୟୟ
ସମୟରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ନେଇ ବିପର୍ଯ୍ୟୟ ମୁକାବିଲା କରିବାକୁ ଏକ ସୁନ୍ଦର ଯୋଜନା ପ୍ରସ୍ତୁତ କରିହେବ ।