Below header

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକଙ୍କ ସହ ୨୦ଜଣିଆ ମନ୍ତ୍ରିମଣ୍ଡଳ

ଭୁବନେଶ୍ବର(କେନ୍ୟୁଜ୍) : ନବୀନଙ୍କ ନୂଆ ଇନିଂସ। ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ପଞ୍ଚମ ଥର ନବୀନ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ୨୦୦୦ ମସିହାରୁ ସେ କ୍ରମାଗତ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସଚିବାଳୟ ଆସିଥିଲେ ନବୀନ ପଟ୍ଟନାୟକ। ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଚିବାଳୟ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେଇଥିଲେ

ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେଇଥିଲେ। ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ତାଙ୍କ ପରେ ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ପ୍ରତାପ ଜେନା। ଏହାପରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି। ସେ ସାନ୍ତାଳି ଭାଷାରେ ଶପଥପାଠ କରିଥିଲେ। ତାଙ୍କ ପରେ ନବୀନଙ୍କ ଟିମରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସୁଶାନ୍ତ ସିଂ। ଶେଷରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

କ୍ୟାବିନେଟ୍‌ ମନ୍ତ୍ରୀ ପରେ ଶପଥ ନେଇଥିଲେ ରାଷ୍ଟ୍ରମନ୍ତ୍ରୀ

କ୍ୟାବିନେଟ୍‌ ମନ୍ତ୍ରୀ ପରେ ଶପଥ ନେଇଥିଲେ ରାଷ୍ଟ୍ରମନ୍ତ୍ରୀ। ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ। ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଥିଲେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆମନ୍‌। ତାଙ୍କ ପରେ ଆସିଥିଲେ ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବରେ ନିମାପଡ଼ା ବିଧାୟକ ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ଜଗନ୍ନାଥ ସାରକା। ଏମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ନବୀନଙ୍କ ଟିମରେ ସାମିଲ ହୋଇଛନ୍ତି। ଅଭିଜ୍ଞଙ୍କ ସମେତ ନୂଆ ମୁହଁଙ୍କୁ ନବୀନ ତାଙ୍କ କ୍ୟାବିନେଟରେ ସାମିଲ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.