ରାଜ୍ୟରେ ସଫଳ ହେଉଛି ପ୍ଲାଜମା ଥେରାପୀ, ବ୍ରହ୍ମପୁର ଏମ୍‌କେସିଜି ଓ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପ୍ଲାଜମା ଥେରାପିକୁ ଅଧିକ ପ୍ରସାର କରିବା ଲକ୍ଷ୍ୟରେ ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ଗୋଟିଏ ବ୍ରହ୍ମପୁର ଏମ୍‌କେସିଜି ଓ ଅନ୍ୟଟି ବୁର୍ଲା ଭିମସାରରେ ପ୍ରତିଷ୍ଠା ହୋଇଛି ଏହି ପ୍ଲାଜମା ବ୍ୟାଙ୍କ । ଏହାକୁ ମିଶାଇ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେଲାଣି। ଫଳରେ ଅଧିକ ସଂଖ୍ୟକ ପ୍ଲାଜମା ସଂଗ୍ରହ ହୋଇ ପାରିବ। ଫଳରେ ଅଧିକ ସଂଖ୍ୟକ ଗୁରୁତର କୋଭିଡ୍‌ ରୋଗୀ ଉପକୃତ ହୋଇ ପାରିବେ। ପ୍ରଥମେ କଟକ ଏସ୍‌ସିବିରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ସେଠାରୁ ଆଜି ସୁଦ୍ଧା ଶହେ ୟୁନିଟ୍‌ ପ୍ଲାଜମା ସଂଗ୍ରହ ହୋଇ ସାରିଲାଣି।

ଏହି ଦୁଇଟି ପ୍ଲାଜମା ବ୍ୟାଙ୍କକୁ ମିଶାଇଲେ ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଏଥିପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଥିଲା। ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ ହେବା ପରେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ଅଧିକ ସଂଖ୍ୟାରେ ରୋଗି ପ୍ଲାଜମା ଥେରାପିର ସୁବିଧା ଲାଭ କରି ପାରିବେ। ଏଥିସହ ସମଗ୍ର ଦକ୍ଷିଣ ଓଡ଼ିଶାର ରୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କ ହେବା ଫଳରେ ପଶ୍ଚିମ ଓଡ଼ିଶାର କରୋନା ଆକ୍ରାନ୍ତ ପ୍ଲାଜମା ଥେରାପିର ସୁଯୋଗ ଲାଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.