କାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫନି କ୍ଷୟକ୍ଷତି ଓ ସହୟତା ନେଇ ହେବ ଆଲୋଚନା

୭ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ରାଜ୍ୟରେ ଫନି କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ନବୀନ। ଏହାସହ କେନ୍ଦ୍ରରୁ ଅଧିକ କଣ ଆର୍ଥିକ ସାହାଯ୍ୟ ମିଳି ପାରିବ ସେ ସମ୍ପର୍କରେ ବି କଥାବାର୍ତ୍ତା ହେବେ। ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଦୁଇ ନେତାଙ୍କ ଏହି ସାକ୍ଷାତ ଆଲୋଚନା ଉପେରେ ସମସ୍ତଙ୍କ ନଜର ରହିଛି।

୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ପଞ୍ଚମ ବୈଠକ। ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏଥର ପଞ୍ଚ ସୂତ୍ରୀ ଏଜେଣ୍ଡା ଉପରେ ରାଜ୍ୟଗୁଡ଼ିକ ସହ ଆଳୋଚନା କରିବେ କେନ୍ଦ୍ର ସରକାର। ଫୋକସରେ ରହିଛି ମରୁଡ଼ି ଓ ରିଲିଫ ପ୍ରଦାନ। ଚଳିତବର୍ଷ ଦେଶରେ ୨୫ ପ୍ରତିଶତ କମ୍‌ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ଏହାର ପ୍ରଭାବରେ ୫୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ରିଲିଫ ଓ ସହାୟତା ପ୍ରଦାନ ନେଇ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ଆଲୋଚନାର ଅନ୍ୟତମ ପ୍ରସଙ୍ଗ ରହିବ ବର୍ଷା ଜଳ ଅମଳ। ତା ସହ କୃଷି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ ଓ କୃଷି ବଜାର ସୃଷ୍ଟି ଉପରେ ବି ଗୁରୁତ୍ୱାରୋପ କରୁଛନ୍ତି କେନ୍ଦ୍ର ସରକାର। ଏହା ଆକାଂକ୍ଷା ଜିଲ୍ଲା ସମ୍ପର୍କରେ ବି ରାଜ୍ୟଗୁଡ଼ିକ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ସହଭାଗିତାରେ ଆକାଂକ୍ଷା ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ ବୃଦ୍ଧି ନେଇ ରୋଡମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି ସରକାର। ସୁରକ୍ଷା ବିଶେଷ କରି ମାଓ ଉପଦ୍ରବ ଉପରେ ବି ନୀତି ଆୟୋଗ ବୈଠକରେ ଆଲୋଚନା ହେବ। ଏସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମତ ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୭ ଦିନିଆ ଗସ୍ତ ମଧ୍ୟରେ ନବୀନ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.