Below header

ଅବଢ଼ା ଯୋଜନାରେ ଚାଲୁଥିବା କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାନୁଆରୀ ୧ରୁ ଜମି ଅଧିଗ୍ରହଣ ସାରି ଐତିହ୍ୟ କରିଡର କାମ ଆରମ୍ଭ କରିବାକୁ ଦେଲେ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ। ଉଦ୍ଦେଶ୍ୟ ଥିଲା, ଅବଢ଼ା ଯୋଜନାରେ ଚାଲୁଥିବା କାମର ସମୀକ୍ଷା। ସିଂହଦ୍ୱାର ପାଖରୁ, ଜଗନ୍ନାଥଙ୍କୁ କଲେ ପ୍ରାର୍ଥନା। ଶ୍ରୀମନ୍ଦିର ଚାରିପାଖର କଲେ ସଂପୂର୍ଣ୍ଣ ପରିକ୍ରମା। ଏମାର ମଠ ପାଖରୁ ଧାଡି ବ୍ୟବସ୍ଥା ପରିଚାଳନା ଯୋଜନାର କଲେ ଅନୁଧ୍ୟାନ। ଭକ୍ତ କିପରି ହଇରାଣ ନ ହୋଇ ସିଂହଦ୍ୱାରରୁ ମନ୍ଦିରରେ ପ୍ରବେଶ କରିପାରିବେ ଏବଂ ଧାଡିରେ ଅପେକ୍ଷା ସମୟରେ ସେମାନଙ୍କର କୌଣସି ଅସୁବିଧା ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୁରକ୍ଷା ବ୍ୟବସ୍ଥା ଲାଗି ଟେକ୍ନୋଲୋଜିର ବ୍ୟବହାର ପାଇଁ କହିଥିଲେ ନବୀନ। ଐତିହ୍ୟ ପ୍ରକଳ୍ପର ଅନୁଧ୍ୟାନ କରି, ଆସନ୍ତା ଜାନୁଆରୀ ୧ ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାମ ସାରି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ମେଘନାଦ ପାଚେରୀର ଦକ୍ଷିଣ ପାର୍ଶ୍ୱରୁ ଅନୁଧ୍ୟାନ କରି, ମନ୍ଦିର ଚାରିପାଖରେ ପରିକ୍ରମା ବେଳେ ଗଛ ଛାଇ ସୁବିଧା ପରାମର୍ଶ ଦେଇଥିଲେ। ଏପରି ବ୍ୟବସ୍ଥା ହେବା ଦରକାର ଯେପରି ଦିବ୍ୟାଙ୍ଗ ନିଜେ ନିଜେ ପରିକ୍ରମା କରି ପାରିବେ। ପଶ୍ଚିମ ପାଖରେ ଅନୁଧ୍ୟାନ କରି ନବୀନ କହିଥିଲେ, ପରିକ୍ରମା ସମୟରେ ଭକ୍ତ ଯେପରି ମେଘନାଦ ପାଚେରୀକୁ ସଂପୂର୍ଣ୍ଣ ଦର୍ଶନ କରି ପାରିବେ ସେଥି ପ୍ରତି ଧ୍ୟାନ ଦିଆଯାଉ। ଉତ୍ତର ଦିଗରୁ ଅନୁଧ୍ୟାନ ସମୟରେ ମହାପ୍ରସାଦ ସେବନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କହିଛନ୍ତି। ଏହାସହ ବରିଷ୍ଠ ନାଗରିକଙ୍କ ପାଇଁ ଆବଶ୍ୟକ ଇଲେକ୍ଟ୍ରିକ୍‌ କାର୍ଟଗୁଡିକର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.