ଯାଜପୁର : ରାତି ଅଧିଆ ଚଢ଼ାଉ, ସଦର ମେଡିକାଲରେ ବ୍ୟବସ୍ଥାର ଯାଞ୍ଚ କଲେ ଜିଲ୍ଲାପାଳ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ରାଜ୍ୟ ସରକାର ସମଗ୍ର ରାଜ୍ୟରେ ମୋ ସରକାର ଯୋଜନା କାର୍ଯ୍ୟକାରୀ କରିବା ପରେ ଯାଜପୁର ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି । କିଛି ଦିନ ତଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରି ଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜିଲାପାଳ ରଂଜନ କୁମାର ଦାସ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଜିଲାପାଳ ପ୍ରଥମେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ପରିଦର୍ଶନ କରିବା ସହ ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଦାୟିତ୍ୱରେ ଥିବା ଚିକିତ୍ସକ, ନର୍ସ ଓ ଅନ୍ୟ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ତନଖି କରିଥିଲେ । କିଛି କର୍ମଚାରୀ ଡ୍ରେସ କୋଡ୍‌ରେ ନଥିବାରୁ ଜିଲାପାଳ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ପ୍ରତ୍ୟେକ ୱାର୍ଡରେ ରୋଗୀମାନଙ୍କ ସହ ଅଲୋଚନା କରି ଚିକିତ୍ସା, ଖାଦ୍ୟ ଏବଂ ଔଷଧପତ୍ର ଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ ।
ରୋଗୀଙ୍କ ସୁବିଧା ପାଇଁ ଓ୍ଵାର୍ଡ଼ଗୁଡିକରେ ଯେପରି ଅଧିକ ଗହଳି ନହୁଏ ସେଥିପାଇଁ ରୋଗୀ ପିଛା ଜଣେ ଆଟେଣ୍ଡାଣ୍ଟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସ୍ୱତନ୍ତ୍ର ଚଢାଉରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ସୂଚନା ଲୋକ ସର୍ମ୍ପକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।