ବଞ୍ଚିବା ପାଇଁ ସଂଘର୍ଷ କରୁଛି ଏହି ମହାବିଦ୍ୟାଳୟ, ପାଠ ପଢ଼ିବା ପାଇଁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

ନାହିଁ ନାହିଁ ରେ ଚାଲିଛି ମହାବିଦ୍ୟାଳୟ । ନା ଅଛି ଭିତ୍ତିଭୂମି ନା ଅଛି ପିଲାଙ୍କ ପାଇଁ କିଛି ବି ସୁବିଧା । ମଣିଷ ତିଆରି କାରଖାନା ଏବେ ନିଜେ ବଞ୍ଚିବା ପାଇଁ କରୁଛି ସଘଂର୍ଷ ।

ନରସିଂହପୁର(କେନ୍ୟୁଜ): ନାହିଁ ନାହିଁ ରେ ଚାଲିଛି ନରସିଂହପୁର ମହାବିଦ୍ୟାଳୟ । ନା ଅଛି ଭିତ୍ତିଭୂମି ନା ଅଛି ପିଲାଙ୍କ ପାଇଁ କିଛି ବି ସୁବିଧା । ମଣିଷ ତିଆରି କାରଖାନା ଏବେ ନିଜେ ବଞ୍ଚିବା ପାଇଁ କରୁଛି ସଘଂର୍ଷ । କଟକ ଜିଲ୍ଲା ନରସିଂହପୁର ସଦର ମହକୁମାରେ ଥିବା ଏହି ମହାବିଦ୍ୟାଳୟ ସର୍ବପୁରାତନ ହୋଇଥିବାବେଳେ ଏଠାରେ ଆଖପାଖ ଅଞ୍ଚଳର ପ୍ରାୟ ୩୫ ଗୋଟି ପଞ୍ଚାୟତର ପିଲା ପାଠ ପଢିବା ପାଇଁ ନିର୍ଭର କରନ୍ତି । ୧୯୭୮ ମସିହାରେ ଡ. ରାଧାନାଥ ରଥଙ୍କ ଦ୍ୱାରା ଏହି ମହାବିଦ୍ୟାଳୟ ଉଦଘାଟିତ ହୋଇଥିଲା । ଏକ ଚାଳ ଛପର ଘରେ ଆରମ୍ଭ ହୋଇଥିଲା ମହାବିଦ୍ୟାଳୟ ।

ଏଠାରେ ଆଖପାଖ ଗରିବ ଛାତ୍ରଛାତ୍ରୀମାନେ ପଢିବା ପାଇଁ ଆଗ୍ରହୀ ଅଛନ୍ତି କିନ୍ତୁ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଧୀରେଧୀରେ କମିବାକୁ ଲାଗିଲାଣି । ଏହି ମହାବିଦ୍ୟାଳୟରେ ପାଠପଢାଇବା ପାଇଁ ୧୯ ଜଣ ଅଧ୍ୟାପକ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ୭ଜଣ ଅଧ୍ୟାପକ ଅଛନ୍ତି । ତେଣୁ ପିଲାମାନେ ପାଠ ପଢିବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଅନ୍ୟାନ୍ୟ ଷ୍ଟାଫମାନଙ୍କର ସମସ୍ତ ପଦବୀ ମଧ୍ୟ ଖାଲିପଡିଛି । ସ୍ଥାନ ଅଭାବ ଥିବାରୁ ନାକ୍‌ ଟିମ୍‌ ତରଫରୁ ମିଳୁଥିବା ବିଭିନ୍ନ ଅନୁଦାନରୁ ବଞ୍ଚିତ ହେଉଛି ଏହି ମହାବିଦ୍ୟାଳୟ ।

ମହାବିଦ୍ୟାଳୟରେ ପାଖାପାଖି ୩୦୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ହେଲେ ବିଭିନ୍ନ ସମୟରେ ଶ୍ରେଣୀଗୃହର ଅଭାବ, ବିଜ୍ଞାନ ପରୀକ୍ଷଣ ଗୃହ ଅଭାବ ଏବଂ ଲାଇବ୍ରେରୀର ଅଭାବ ପାଇଁ ପିଲାମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଅନ୍ୟପଟେ ରୁଷା ତରଫରୁ ଏସବୁ ଭିତ୍ତିଭୂମି ନିର୍ମାଣ ପାଇଁ ୨୦୧୬ ମସିହାରେ ରୁଷା ତରଫରୁ ୨ କୋଟି ଟଙ୍କା ଆସିଥିଲା କିନ୍ତୁ PWD ୧ କୋଟି ଟଙ୍କା ଦିଆଯାଇଥିଲେ ସୁଧା ମନମୁଖୀ କାର୍ଯ୍ୟ ପାଇଁ ଏପର୍ଯ୍ୟନ୍ତ କାମ ସରୁନାହିଁ । ୩ ଜଣ ଠିକାଦାର ମଧ୍ୟ ପରିବର୍ତ୍ତନ ହୋଇସାରିଲେଣି ତେଣୁ ଘର ନିର୍ମାଣ କାର୍ଯ୍ୟ ସରୁନି । ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପିଲା ଓ ଶିକ୍ଷକ ।

ଏନେଇ ଆମେ ବିଭିନ୍ନ ମହଲରୁ ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ମହାବିଦ୍ୟାଳୟର ସ୍ଥାୟୀ ସଭାପତି ଏବଂ ଉପଜିଲ୍ଲାପାଳ ନୂଆ ଆସିଛନ୍ତି ତେଣୁ ଏ ବିଷୟରେ ବୁଝାହେବ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ବାରମ୍ବାର ଲିଖିତ ଅଭିଯୋଗ ଦେଇଥିଲେ ବି କେହି ଶୁଣୁନଥିବା କହିଛନ୍ତି । ତେବେ ଏ ମହାବିଦ୍ୟାଳୟର ପରିସ୍ଥିତି କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା ।
ନରସିଂହପୁର Tathagata Biswal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.