ଘର ସିଲ୍ ହେଲେ ବେଶ୍ୟାଳୟ ଘୋଷଣା ହେବ : କମିଶନରେଟ୍ ପୋଲିସର ଘୋଷଣା

ଜାଣତରେ ହେଉ ବା ଅଜାଣତରେ… ଯଦି ଦେହବ୍ୟବସାୟ ପାଇଁ ଘର ଭଡ଼ା ଦିଆଯାଇଥାଏ, ତେବେ ହରଡ଼ଘଣାରେ ପଡ଼ିବେ ଘର ମାଲିକ । କାରଣ ଏପରି ଘର ଠାବ ହେବା ପରେ ଏହାକୁ ସିଲ୍‌ କରିବା ସହ, ବେଶ୍ୟାଳୟ ଭାବେ ଘୋଷଣା କରାଯିବ । ITPA ଧାରା ୧୮-୧ ଅନୁଯାୟୀ ଏଭଳି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି କମିଶନରେଟ୍‌ ପୋଲିସ । କଟକ ସିଡିଏ ସେକ୍ଟର ୮ ଅନ୍ତର୍ଗତ ପ୍ଲଟ ନମ୍ବର ୠ-୩୫୦ କୁ ଏଭଳି ଆଇନ ଅନୁସାରେ ସିଲ୍‌ କରିବା ସହ ଏହାକୁ ବେଶ୍ୟାଳୟ ଘୋଷଣା କରିଛି କମିଶନରେଟ ପୋଲିସ । ମର୍କତନଗର ଥାନା ଅଧୀନସ୍ଥ ଏହି ଘରେ ଦେହ ବ୍ୟବସାୟ ଚାଲିଥିବା ବେଳେ, ୨୦୧୭ ମସିହାରେ ପୋଲିସ ଏହାକୁ ରେଡ୍‌ କରିଥିଲା । ରେଡ୍‌ ସମୟରେ ୨ଜଣ ଗ୍ରାହକ ଓ ୪ଜଣ ଯୁବତୀ ଧରା ପଡ଼ିଥିଲେ । ସେହିପରି ଘର ଭଡ଼ା ନେଇଥିବା ମହିଳା କିଙ୍ଗ୍‌ପିନ୍‌କୁ ମଧ୍ୟ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ପୋଲିସ ସମ୍ପୃକ୍ତ ଘରକୁ ସିଲ୍‌ କରିଛି । ଆଗକୁ ମଧ୍ୟ ଯେଉଁସ୍ଥାନରେ ଏଭଳି ସେକ୍ସ ର‍୍ୟାକେଟ୍‌ ଠାବ ହେବ, ସେ ଘରକ ସିଲ୍‌ କରାଯିବ । ପୋଲିସର ଏଭଳି ପଦକ୍ଷେପକୁ ସିଡିଏବାସୀ ସ୍ୱାଗତ କରିଛନ୍ତି । ଘର ମାଲିକମାନେ ଭଡ଼ା ଲୋଭରେ ଅଜଣା ଲୋକଙ୍କୁ ଘର ନଦେବା ଦିଗରେ ଏହା ସଚେତନତା ସୃଷ୍ଟି କରିବା ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.