MKCG କାଜୁଆଲଟିରେ ଅକ୍ସିଜେନ ଅଭାବରୁ ଦୁଇ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କେନ୍ୟୁଜ (ବ୍ୟୁରୋ): ଅକ୍ସିଜେନ ଅଭାବରେ MKCG ମେଡିକାଲ କଲେଜ କାଜୁଆଲଟିରେ ଦୁଇ ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ଭିଡିଓ ଭାଇରାଲ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌. ମୋହନ ଦାସ । ଗତ ଦୁଇ ତାରିଖ ଦିନ ତାଙ୍କର ଜଣେ ବନ୍ଧଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ଆଣିଥିଲେ । ହେଲେ ଅକ୍ସିଜେନ ପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ଆଉ ଏହି ସମୟରେ ଅକ୍ସିଜେନ ଅଭାବରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଲା ବୋଲି ସେ ଏହି ଭିଡିଓ ମାଧ୍ୟମରେ ଏହି ଘଟଣାର ଭାଇରାଲ କରିଛନ୍ତି । ଏହାକୁ ଏବେ ଜିଲ୍ଲା ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି ।

ଘଟଣାର ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ମେଡିକାଲରେ ଅକ୍ସିଜେନର ଅଭାବ ଜନିତ ଘଟଣା କେବେ ଘଟିନାହିଁ । ଏଠି ଯଥେଷ୍ଟ ସିଲିଣ୍ଡର ମହଜୁଦ ରହିଛି । ଏଣୁ ତଦନ୍ତ ପରେ ଘଟଣା ଯଦି ସତ୍ୟ ହୋଇଥାଏ ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ମିଥ୍ୟା ହୋଇଥାଏ ତାହାହେଲେ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ କାଜୁଆଲିଟି ସମେତ ସମସ୍ତ ବିଭାଗରେ ଆବଶ୍ୟକତାରୁ ଅଧିକ ଅକ୍ସିଜେନ ରହିଛି ଓ ଅଭିଯୋଗ ହୋଇଥିବା ସମୟରେ ଯେତେ ଜଣ ରୋଗୀ ଥିଲେ ଆବଶ୍ୟକ ଅନୁଯାୟୀ ସମସ୍ତଙ୍କୁ ଅକ୍ସିଜେନ ଦିଆଯାଇଥିଲା । ବିନା ଅକ୍ସିଜେନରେ କାହାର ବି ମୃତ୍ୟୁ ଘଟିନି ବୋଲି ମେଡିକାଲ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.