Below header

ବର୍ଷା ଅନୁଭବ ବିବାଦ ମାମଲା: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ ଜାରି କଲେ କୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ବର୍ଷା ଅନୁଭବ ବିବାଦ ମାମଲା । କଟକ ସଦର ଏସଡ଼ିଜେଏମଙ୍କ କୋର୍ଟରେ ଦାଖଲ ହେଲା ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ । ପ୍ରତିପକ୍ଷ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ ଜାରି କଲେ କୋର୍ଟ । ଏକ ମାସ ପରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ନଭେମ୍ବର ଦ୍ୱିତୀୟ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। କଟକ ସଦର ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀ ଭରଣ ପୋଷଣ ଓ ପାରିବାରିକ ହିଂସାର ଅଭିଯୋଗ ଆଣିଛନ୍ତି। ସ୍ୱାମୀ ସୁପରଷ୍ଟାର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

କଟକ ଏସଡ଼ିଜେଏମଙ୍କ ଅଦାଲତ ଏହି ମାମଲାରେ ସାଂସଦଙ୍କୁ ନୋଟିସ ଜାରି କରିଛନ୍ତି। ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରୋଟେକସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଉଲେନ୍ସ ଆକ୍ଟ ୨୦୦୫ର ଧାରା ୧୨,୧୭, ୧୮, ୧୯, ୨୦ ଓ ୨୨ ଅନୁସାରେ ମକଦ୍ଦମା ଦାୟର କରିଛନ୍ତି। ମକଦ୍ଦମାରେ ବର୍ଷା ନିଜ ସ୍ୱାମୀଙ୍କୁ ମଦ୍ୟପ ଓ ମଧୁମେହ ରୋଗୀ ବୋଲି ଦର୍ଶାଇଛନ୍ତି। ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଅନୁଭବ ଶୟନ କକ୍ଷରେ ମଦ୍ୟପ ସାଙ୍ଗ ମାନଙ୍କ ସହ ମିଶି ମଦ୍ୟପାନ କରିବା ସହ ବର୍ଷାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥାନ୍ତି। ବିବାହ ପରେ ଅନୁଭବ ବର୍ଷାଙ୍କୁ ଅନ୍ୟ କାହାର ସିନେମାରେ ଅଭିନୟ କରିବାର ସୁଯୋଗ ଦେଇ ନାହାନ୍ତି।

ଅନୁଭବଙ୍କ ସହ କରିଥିବା ସିନେମାରେ ବର୍ଷାଙ୍କୁ ପାରିଶ୍ରମିକ ମଧ୍ୟ ମିଳି ନ ଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ବର୍ଷା ଅନୁଭବଙ୍କ ଠାରୁ ଘରଭଡା ବାବଦରେ ମାସିକ ୨୦ ହଜାର ଟଙ୍କା, ଭରଣ ପୋଷଣ ନିମନ୍ତେ ମାସିକ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦରେ ୧୩ କୋଟି ଟଙ୍କା, ଚିକିତ୍ସା ପାଇଁ ୨ କୋଟି ଟଙ୍କା ଦାବି କରିଛନ୍ତି। ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ବିବାହ ବିଚ୍ଛେଦ ମାମଲା ଦାୟର କରାଯାଇଥିବା ବେଳେ ଏହି ମାମଲାକୁ କଟକକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନ ଦାୟର କରିଛନ୍ତି। ସେହିପରି ବର୍ଷା ପ୍ରିୟଦର୍ଶିନୀ କଟକର ପରିବାର ଅଦାଲତରେ ଅନ୍ୟ ଏକ ମାମଲା ମଧ୍ୟ ଦାୟର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.