Below header

ମୟୁରଭଞ୍ଜ: କରୋନା କରୁଛି କୋକୁଆ ଭୟ, ସତ୍କାର ପାଇଁ ମଶାଣି ନମିଳିବାରୁ ଆମ୍ବୁଲାନ୍ସରେ ଦୁଇ ଦିନ ଘୁରିବୁଲିଲା ଶବ

ରାଇରଙ୍ଗପୁର(କେନ୍ୟୁଜ୍):  ଶବକୁ ମିଳୁନି ମଶାଣି , ମୃତ ଦେହ ଧରି ବୁଲୁଛି ଆମ୍ବୁଲାନ୍ସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ରାଇରଙ୍ଗପୁର ହସ୍ପିଟାଲରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହେବା ପରେ ଶବ ସତ୍କାର ପାଇଁ ମୃତ ଦେହ ଧରି ଏ ମଶାଣିରୁ ସେ ମଶାଣି ବୁଲୁଛି ଆମ୍ବୁଲାନ୍ସ। ସଂକ୍ରମଣର ଭୟ ଯୋଗୁଁ ସ୍ଥାନୀୟ ଲୋକେ କୋଭିଡ ସଂକ୍ରମିତଙ୍କ ମୃତଦେହର ଶବ ସତ୍କାର କରିବାକୁ ଦେଉନଥିବା ଅଭିଯୋଗ ହୋଇଛି । ମେଡିକାଲ ପରିସରରେ ୨୪ଘଣ୍ଟାରୁ ଉର୍ଦ୍ଧ ସମୟ ମୃତଦେହ ପଡି ରହିବା  କୋଭିଡ ପରିଚାଳନାର ଏକ ଅଭାବନୀୟ ଦୃଶ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ପ୍ରଶାସନ ଶବକୁ ନେଇ ବାରମ୍ବାର ବିଭିନ୍ନ ଅଞ୍ଚଳରୁ ତଡା ଖାଇବା ପରେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

rairangpur

ସୂଚନାଯୋଗ୍ୟ ଶୁକ୍ରବାର ସନ୍ଧ୍ୟା ୫ଟା ବେଳେ ରାଇରଙ୍ଗପୁର ବ୍ଲକ ଦାଣ୍ଡବୋଷ ଅଞଚଳର ଦୁବରାଜ ହାଁସଦାଙ୍କ ମୃତ୍ୟୁ ଘଟିଥିଲା । ତେବେ ଶବକୁ ପ୍ୟାକିଂ  କରି ଶବ ଦାହ କରିବା  ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ରହିଥିବା ବେଳେ ମେଡିକାଲ ପରିସରରେ ୨୪ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ମୃତ ଦେହ ପଡି ରହିଥିଲା।  ଅନ୍ୟପଟେ ଘଣ୍ଟା ଘଣ୍ଟା ଧରି ମେଡିକାଲ ପରିସରରେ ମୃତଦେହ ପଡି ରହୁଥିବାରୁ ହସ୍ପିଟାଲର ରୋଗୀ ଓ କର୍ମଚାରୀ ମାନେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।  ପ୍ରଶାସନ ଶବକୁ ପ୍ରଥମେ ଗମ୍ଭାରୀଆ ଅଞ୍ଚଳକୁ  ନେଇ ସେଠାରୁ ତଡା ଖାଇବା ପରେ ଗଢ଼ ଡ଼ମ୍ପିଙ୍ଗ ୟାର୍ଡ ନେଇଥିଲା । ସେଠାରେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ସହ ହଟହଟା ହେବା ପରେ ଶବ ଫେରାଇ ଆଣିଥିଲେ। ପରେ ପୁଣି ରାଉତଖମାର ଶ୍ମଶାନ ଘାଟକୁ ନେଇ ଶବ ସତ୍କାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଶବ ସତ୍କାର କରାଇଦେଇନଥିଲେ ।

rairangpur 2

ତେବେ କରୋନାକୁ ବର୍ଷେରୁ ଅଧିକ ହେବା ଓ ଦ୍ଵିତୀୟ ଲହରରେ ରାଇରଙ୍ଗପୁର ଅଂଚଳରେ ୬ମୁଣ୍ଡ ଗଡ଼ିବା ପରେ ମଧ୍ୟ କୋଭିଡ ସଂକ୍ରମିତ ମୃତଦେହ ପାଇଁ ଏକ ସ୍ୱତନ୍ତ୍ର ସ୍ଥାୟୀ ମଶାଣି ନିର୍ମାଣ ହୋଇପାରିନାହିଁ। ଏହାକୁ ନେଇ କୋଭିଡ ମୁକାବିଲାର ପ୍ରସ୍ତୁତି ଉପରେ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି । ତେବେ ପ୍ରତେକ ଶବକୁ ନେଇ ତିନି ଚାରିଟି ଅଞ୍ଚଳ ଆମ୍ବୁଲାନ୍ସରେ ଧରି ବୁଲିବା ଓ ଘଣ୍ଟା ଘଣ୍ଟା ଧରି ଶବ ପଡିରହିବାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗତ ଶୁକ୍ରବାର ସନ୍ଧ୍ୟା ୫ଟା ବେଳେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର ହେବାକୁ ଥିବା ବ୍ୟକ୍ତିର ଶନିବାର ରାତି ୧୨ଟା ପରେ ଶବ ସତ୍କାର କରାଯାଇଥିବା ସୂଚନା ମିଳିଛି। କିନ୍ତୁ କେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କର ସତ୍କାର  କରାଯାଇଛି ସେନେଇ ପ୍ରଶାସନ  ସାର୍ବଜନୀନ କରୁନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.